‘ମୁଁ କରୋନା ପଜିଟିଭ ଆଉ ବଞ୍ଚିବି ନାହିଁ ’‌ବୋଲି ପତ୍ନୀଙ୍କୁ କହି ପ୍ରେମିକା ସହ ସ୍ବାମୀ ଫେରାର

ମୁମ୍ବାଇ: ନଭି ମୁମ୍ବାଇର ଭାସି ଅଞ୍ଚଳ‌ରେ ଜୁଲାଇ ୨୪ ରାତିରେ ଜଣେ ୨୮ବର୍ଷର ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଡାକି କହିଥିଲେ,‘ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି, ମୁଁ ଆଉ ବଞ୍ଚି ପାରିବି ନାହିଁ।’ ପତ୍ନୀ କିଛି ବୁଝିବା ପୂର୍ବରୁ ସ୍ୱାମୀଙ୍କ ଫୋନ୍ କାଟି ଦେଇଥିଲେ।| ବିଚଳିତ ହୋଇ ପତ୍ନୀ ତାଙ୍କ ଭାଇଙ୍କୁ ଡାକି ସବୁ କଥା କହିଥିଲେ । ଏହାପରେ ତାଙ୍କ ଭାଇ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି ସମୟରେ ଭାସି ସେକ୍ଟର ନମ୍ବର -୧୭ରେ ତାଙ୍କ ମୋଟରସାଇକେଲ, ଚାବି, ବ୍ୟାଗ ଏବଂ ହେଲମେଟ ମିଳିଥିଲା, କିନ୍ତୁ ଉକ୍ତ ବ୍ୟକ୍ତିଙ୍କ କୌଣସି ସୂଚନା ମିଳି ନଥିଲା।

ଏସିପି ବିନାୟକ ବତସଙ୍କ କହିବାନୁସାରେ, ଅଭିଯୋଗ ପାଇବା ପରେ ଭାସି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ କରାଯାଇଥିଲା। ମୋବାଇଲ୍ ଲୋକେସନକୁ ଟ୍ରାକ୍ କରାଯାଇଥିଲା। ଉକ୍ତ ବ୍ୟକ୍ତି ଜଣକ ସେହି ରାତିରେ ୧୦୦ନମ୍ବରକୁ ଦୁଇଥର ଡାଏଲ କରିଥିବା ବି ଯାଞ୍ଚରୁ ଜଣାପଡ଼ିଥିଲା। ତେଣୁ ଶତ୍ରୁତା, ଲୁଟପାତ ଓ ଝଗଡ଼ା ଦିଗରୁ ବି ଯାଞ୍ଚ କରାଯାଇଥିଲା।

ଏହି ସମୟରେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ବିଷୟରେ ସୂଚନା ପାଇଥିଲା ଏବଂ ପରେ ଅନୁସନ୍ଧାନର ଦିଗ ବଦଳାଇ ପୁଲିସ ଏକ ନୂତନ ସନ୍ଧାନ ଆରମ୍ଭ କରିଥିଲା ଏବଂ ଏକ ମାସର ଉଦ୍ୟମ ପରେ ବ୍ୟକ୍ତି ଜଣକ ଇନ୍ଦୋରରେ ଥିବା ଜଣାପଡିଥିଲା।

ଭାସି ପୁଲିସ ଷ୍ଟେସନର ବରିଷ୍ଠ ପୁଲିସ ଇନ୍ସପେକ୍ଟର ସଞ୍ଜୀବ ଧୁମାଲଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଇନ୍ଦୋରରେ ପହଞ୍ଚିବା ପରେ ସେହି ବ୍ୟକ୍ତି ସେଠାରେ ତାଙ୍କ ପ୍ରେମିକାଙ୍କ ସହିତ ଥିବା ଜଣାପଡ଼ିଥିଲା। ସେପ୍ଟେମ୍ବର ୧୫ରେ ପୁଲିସ ତାଙ୍କୁ କାବୁ କରି ନାଭି ମୁମ୍ବାଇକୁ ଆଣିଥିଲା।

ସମ୍ବନ୍ଧିତ ଖବର