ପ୍ରେମ ପାଇଁ ଜୀବନ ଗଲା: ପ୍ରେମିକାକୁ ଭେଟିବାକୁ ଆସିଥିବା ବେଳେ ନ‌ାବାଳକ ପ୍ରେମିକକୁ ହତ୍ୟା ଅଭିଯୋଗ

ଆଗ୍ରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଏକ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଜଣେ ୧୭ ବର୍ଷର ବାଳକକୁ ତାଙ୍କ ପ୍ରେମିକାଙ୍କ ପରିବାର ସଦସ୍ୟ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ବାଳକ ଜଣକ ନିଜର ୧୪ ବର୍ଷୀୟା ନାବାଳିକା ପ୍ରେମିକାକୁ ଭେଟିବାକୁ ଯାଇଥିବା ବେଳେ ପ୍ରେମିକାର ଘର ଲୋକ ତାକୁ ମାଡ଼ ମାରି ହତ୍ୟା କରିଥିବା ଜାଣିବାକୁ ମିଳିଛି।

ମୃତକ ପ୍ରେମିକଙ୍କ ସହ ଯାଇଥିବା ଅନ୍ୟ ଜଣେ ବାଳକକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବାଳକ ଜଣଙ୍କୁ ନାବାଳିକାଙ୍କ ଘର ଲୋକ ଟେକି ଫୋପାଡ଼ି ଦେବା ପରେ ସେ ଆହତ ହୋଇ ଫେରିଥିବା ଜାଣିବାକୁ ମିଳିଛି।

୧୭ ବର୍ଷର ନାବାଳକକୁ ଯେତେବେଳେ ପ୍ରେମିକାର ଘର ଲୋକ ମାଡ଼ ମାରି ଚାଲିଥିଲେ କିଛି ଉପାୟ ନପାଇ ନାବାଳିକା ପ୍ରେମିକା ଜଣକ ନିଜ ପ୍ରେମିକର ଜୀବନ ବଞ୍ଚାଇବାକୁ ୨ କିଲୋମିଟର ରାସ୍ତା ପାଦରେ ଦୌଡ଼ି ଦୌଡ଼ି ଯାଇ ନାବାଳକର ଘର ଲୋକଙ୍କୁ ଡାକି ଆଣିଥିଲା। ସେ ନାବାଳକର ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ପୁଅର ଜୀବନ ବଞ୍ଚାଇବାକୁ ନିବେଦନ କରିଥିଲା। ହେଲେ ନାବାଳକର ପରିବାର ଲୋକ ପହଞ୍ଚିଲା ବେଳକୁ ପ୍ରାଣବାୟୁ ଉଡ଼ି ଯାଇଥିଲା।

ପରେ ନାବାଳିକା ସେଠାରୁ ଫେରି ପରିବାର ଲୋକଙ୍କ ଭୟରେ ଏକ ଜଙ୍ଗଲରେ ଲୁଚି ଯାଇଥିଲା। ପୁଲିସ୍‌ ପରେ ତାକୁ ଖୋଜି ପାଇଥିଲା। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପୁଅକୁ ଝିଅଟି ବାରମ୍ବାର ଚାପ ପକାଇ ନିଜ ପାଖକୁ ଡାକିଥିଲା।

ରିପୋର୍ଟ ଅନୁଯାୟୀ ପୀଡ଼ିତ ଜଣକ ଗୁଜରା ଜାତିର ହୋଇଥିବା ବେଳେ ନାବାଳିକା ଠାକୁର ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପ୍ରେମ ସଂପର୍କକୁ ପରିବାର ଲୋକ ବିରୋଧ କରି ଆସୁଥିଲେ।

ସମ୍ବନ୍ଧିତ ଖବର