ଉତ୍ତର ପ୍ରଦେଶ: ସାବତ ବାପାଙ୍କୁ ଗୁଳି ମାରି ହତ୍ୟା କଲା ୧୦ମ ଶ୍ରେଣୀରେ ପଢୁଥିବା ପୁଅ, ମାଆ କଲେ ଏଫ୍‌ଆଇଆର୍

ଲକ୍ଷ୍ନୌ: ମଙ୍ଗଳବାର ସନ୍ଧ୍ୟାବେଳେ କାଦିପୁର ଥାନା ଅଧୀନ ସୁଲ୍‌ତାନ୍‌ପୁର ଅଞ୍ଚଳରେ ତିନି ଜଣ ବନ୍ଧୁଙ୍କ ସହାୟତରେ ଜଣେ ୧୦ମ ଶ୍ରେଣୀ ପିଲା ତା’ର ସାବତ ବାପାଙ୍କୁ ଗୁଳି ମାରି ହତ୍ୟା କରିଛି।

ଅଭିଯୁକ୍ତ ବାଳକର ମାଆ ତା’ ବିରୋଧରେ ବୁଧବାର ସକାଳେ ଏଫ୍‌ଆଇଆର୍ ଫାଇଲ୍ କରିଛନ୍ତି। ଚାରି ଅଭିଯୁକ୍ତ ଏବେ ଫେରାର ହୋଇଯାଇଛନ୍ତି।

ପୁଲିସ କହିବା ଅନୁସାରେ, ମୃତ ୪୦ ବର୍ଷିୟ ବ୍ୟକ୍ତିଜଣକ କାଦିପୁର ଅନ୍ତର୍ଗତ ବାକ୍ସପୁର ମିଥନେପୁର ବାସିନ୍ଦା। ସେ ଗୁଳି ‌ଚୋଟ ଖାଇଥିଲେ ଏବଂ ତାଙ୍କ ମୁଣ୍ଡରେ କୌଣସି ଧାରୁଆ ଅସ୍ତ୍ରର ଆଘାତ ଲାଗିଥିଲା।

୨୦୧୯ରେ ସେ ଚତୁରପୁର ଗାଁର ଜଣେ ବିଧବାଙ୍କୁ ଅଦାଲତରେ ବିବାହ କରିଥିଲେ। ଅଳ୍ପ ଦିନ ତଳେ ସେ ବିଧବାଙ୍କର ସ୍ବାମୀ ମରିଯାଇଥିଲେ ଏବଂ ତାଙ୍କର ଗୋଟିଏ ୧୫ ବର୍ଷିୟ ପୁଅ ଥିଲା। ବିଧବାଙ୍କର ପ୍ରଥମ ବିବାହରୁ ଜାତ ସେ ବାଳକଟି ୧୦ମ ଶ୍ରେଣୀରେ ପଢ଼େ।

ବାପା ହୃଦ୍‌ଘାତ୍‌ରେ ମରିବାର ମାସେ ନ ପୂରୁଣୁ ମାଆ ସେ ଲୋକଟିକୁ ବାହା ହେବାରୁ ବାଳକଟିକୁ ଭାରି ବାଧିଥିଲା। ସେବେ ଠାରୁ ବାଳକଟି ବିଳମ୍ବିତ ରାତ୍ରୀଯାଏଁ ସାଙ୍ଗମାନଙ୍କ ସହ ବାହାରେ ରହୁଥିଲା। ଲୋକଟିକୁ ବାପା ବୋଲି ସ୍ବୀକାର କରିବାକୁ ମାଆ ଯେତେ ବୁଝାବୁଝି କଲେ ମଧ୍ୟ ସେ ମାନୁ ନ ଥିଲା। ଓଲଟି ବାପାର ମୃତ୍ୟୁ ପାଇଁ ସେ ମାଆକୁ ଦାୟି କରୁଥିଲା ଏବଂ ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ହେଉଥିଲା।

ଅତୀତରେ ମଧ୍ୟ ବାଳକଟି ସାବତ ବାପାଙ୍କୁ ମାରିବାକୁ ତିନି ଥର ଉଦ୍ୟମ କରିଥିଲା। କିନ୍ତୁ, ଗାଁରେ ଭେରାଇଟି ଷ୍ଟୋର୍ ଖୋଲିଥିବା ସାବତ ବାପା ମଙ୍ଗଳବାର ଦିନ ତାଙ୍କ ସାନଭାଇ ଗାଡ଼ି ପଛରେ ବସି ଯାଉଥିବା‌ ସମୟରେ ସେ ବାଳକ ଓ ତା’ର ତିନି ଜଣ ସାଥୀ ତାଙ୍କୁ ଅଟକାଇଥିଲେ।

ଚାରିହେଁ ମିଶି ଲୁହାଛଡ଼ରେ ଦୁହିଁଙ୍କୁ ପିଟିବାରୁ ସାନଭାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସାବତ ବାପାଙ୍କୁ ଗୁଳି କରି ମାରିବା ପରେ ବାଳକଟି ଘରକୁ ଧାଇଁ ଯାଇ ମାଆ ଆଗରେ ସବୁକଥା ବର୍ଣ୍ଣନା କରିଥିଲା।

ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଦୁଇଟି ଟିମ୍ ଗଠନ କରିଛି।

 

 

ସମ୍ବନ୍ଧିତ ଖବର