ବାଲିଆ: ଉତ୍ତରପ୍ରଦେଶର ବାଲିଆଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା କନ୍‌ଷ୍ଟେବଲ୍‌ ତାଙ୍କର ଦୁଇ ସହଯୋଗୀଙ୍କ ନିର୍ଯାତନା ସହ୍ୟ ନକରି ପାରି ଆତ୍ମହତ୍ୟା କରିଛନ୍ତି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ କହିଥିବା ଜାଣିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ୨୨ ବର୍ଷୀୟା ନିତୁ ଯାଦବ। ନିତୁ ରବିବାର ବିଳମ୍ବିତ ରାତିରେ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

Advertisment

ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌ ଜଣକ ଆତ୍ମହତ୍ୟା କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ ଜଣେ ମହିଳାଙ୍କ ସମେତ ତାଙ୍କର ଦୁଇ ସହକର୍ମୀ ତାଙ୍କୁ ମାନସିକ ନିର୍ଯାତନା ଦେଉ ଥିଲେ। ସେମାନଙ୍କ ନିର୍ଯାତନା ସହ୍ୟ ନକରି ପାରି ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ମହିଳାଙ୍କ ସୁଇସାଇଡ୍‌ ନୋଟ୍‌ ପାଇବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ୍‌ ପଠାଇଛି।