ବିବାହ ପ୍ରସ୍ତାବରେ ଅରାଜି ହେବାରୁ ୨୬ ବର୍ଷୀୟ କିରାଣିଙ୍କୁ ଗୁଳି ମାରି ହତ୍ୟା କଲେ ୨୭ ବର୍ଷିୟ ଯୁବକ

ମିରଟ: ବିବାହ ପ୍ରସ୍ତାବରେ ଅରାଜି ହେବାରୁ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ବିଭାଗର ଜଣେ ୨୬ ବର୍ଷୀୟ କିରାଣିଙ୍କୁ ନଭେମ୍ବର ୧୧ ତାରିଖ ଦିନ ଜଣେ ୨୭ ବର୍ଷିୟ ଯୁବକ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସସୂତ୍ରରୁ ଜଣାପଡ଼ିଛି। ହତ୍ୟାକାଣ୍ଡର ୨ ସପ୍ତାହ ପରେ ଅର୍ଥାତ୍‌ ଶୁକ୍ରବାର ଦିନ ଉକ୍ତ ୨୬ ବର୍ଷୀୟ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି।

ପୁଲିସ କହିବା ଅନୁସାରେ, ନଭେମ୍ବର ୧୧ ତାରିଖ ଦିନ ସାର୍ଧନା ଅଞ୍ଚଳର ପଲି ଗ୍ରାମର କିରାଣି ସୋନିକା ସୋମ୍‌ଙ୍କ ଆତ୍ମୀୟମାନେ ପୁଲିସକୁ ସୂଚନା ଦେଇଥିଲେ କି, ସେ ସ୍କୁଟି ଚଢ଼ି ମିରଟ୍‌ସ୍ଥିତ ଭୈସାଲି ବସ୍ ଡିପୋକୁ ଯାଇଥିଲେ। କିନ୍ତୁ, ଘରକୁ ଫେରି ନାହାନ୍ତି।

ସୋନିକାଙ୍କୁ କେହି ଅପହରଣ କରି ନେଇଛି ଦର୍ଶାଇ ସେଦିନ ରାତିରେ ସେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କଲେ। ସେମାନଙ୍କ ଅଭିଯୋଗ ଆଧାରରେ ଅଜ୍ଞାତ ଅପହରଣକାରୀଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଲା ବୋଲି ପୁଲିସ କହିଛି।

ତଦନ୍ତ ସମୟରେ ‘ସିସିଟିଭି’ ଫୁଟେଜ୍‌ରୁ ଜଣାପଡ଼ିଲା ଯେ, ନଭେମ୍ବର ୧୧ ତାରିଖ ଦିନ ସୋନିକା ସାର୍ଧନାରେ ସ୍କୁଟି ରଖି ସନ୍ନିଙ୍କ ବାଇକ୍‌ରେ ବସି ଅତେରାନା ଉପକଣ୍ଠରେ ଥିବା ଅରଣ୍ୟକୁ ଯାଉଛନ୍ତି। ୪୦ ମିନିଟ୍‌ ପରେ ଦେଖାଯାଉଛି ସନ୍ନି ଏକାକୀ ବାଇକ୍‌ ଚଢ଼ି ସାର୍ଧନାକୁ ଆସି ନିଜ ଘରକୁ ଯାଉଛନ୍ତି।

ପୁଲିସ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଘରେ ପହଞ୍ଚିବାକ୍ଷଣି ସନ୍ନି ଗୁଳି ମାରିହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁଳି ଚୋଟରେ ଆହତ ହୋଇଥିବା ସନ୍ନିକୁ ସଙ୍ଗେ ସ‌ଙ୍ଗେ ପରିବାର ଲୋକେ ଡାକ୍ତରଖାନାକୁ ନେଇଯାଇଥିଲେ।

ତା’ପରେ ସୋନିକାଙ୍କ ପାଇବା ପାଇଁ ଅନୁସନ୍ଧାନ କରାଗଲା। ଦୁଇ ସପ୍ତାହ ପରେ ଜଣାପଡ଼ିଲା ଆଟେରାନା ଅରଣ୍ୟ ନିକଟରେ ଜଣେ ମହିଳାଙ୍କ ଶବ ପଡ଼ିଛି। ସୋନିକାଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଲା।

ଏଥିରୁ ଜଣାପଡ଼ିଲା, କିରାଣିଙ୍କୁ ହତ୍ୟା କରିବା ପରେ ଦୁବାଥୁଆବାସୀ ସନ୍ନି କୁମାର ତାଙ୍କ ଶବକୁ ଅରଣ୍ୟରେ ଫିଙ୍ଗି ଦେଇ ଘରକୁ ଫେରିବା ପରେ ନିଜେ ଗୁଳି ମାରି ହୋଇ ମରିବାକୁ ଉଦ୍ୟମ କରିଥିଲେ। ସମ୍ପ୍ରତି ସେ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସୋନିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସୋନିକାଙ୍କୁ ବାହା ହେବା ପାଇଁ ସନ୍ନି ବାଧ୍ୟ କରୁଥିଲେ। କିନ୍ତୁ, ସୋନିକା ମନା କରିବାରୁ ସନ୍ନି ତାଙ୍କୁ ହତ୍ୟା କରିଛି।

ସମ୍ବନ୍ଧିତ ଖବର