ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫରୁଖାବାଦ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପୁଲିସ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଜଣେ ଯୁବକ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି। ଜୀବନ ହାରିବା ପୂର୍ବରୁ ସେ ଧଳା ପ୍ୟାଣ୍ଟରେ ଏକ ନୀଳ କଲମରେ ତାଙ୍କର ଶେଷ ବାର୍ତ୍ତା ଲେଖିଥିଲେ।
ମୃତକଙ୍କ ନାମ ଦିଲୀପ। ସୋମବାର ଦିଲୀପଙ୍କ ସ୍ତ୍ରୀ ନାଗଲା ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଥିଲେ ଯେ ଦିଲୀପ ତାଙ୍କୁ ମଦ୍ୟପାନ କରି ମାଡ଼ ମାରନ୍ତି ନିର୍ଯାତନା ଦିଅନ୍ତି।ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଦିଲୀପଙ୍କୁ ପୁଲିସ ଷ୍ଟେସନକୁ ଡକାଇଥିଲା। ଯେଉଁଠାରେ ଦିଲୀପଙ୍କ ସ୍ତ୍ରୀଙ୍କ ପରିବାରଲୋକ ମଧ୍ୟ ଉପସ୍ଥିତଥିଲେ।
ଦିଲୀପ ସୁଇସାଇଡ ନୋଟରେ ଅଭିଯୋଗ କରି କହିଛନ୍ତି ଯେ ଦୁଇଜଣ କନଷ୍ଟେବଳ ତାଙ୍କୁ ମାମଲାର ସମାଧାନ ପାଇଁ ୫୦,୦୦୦ ଟଙ୍କା ଦେବାକୁ ଚାପ ପକାଇଥିଲେ। ଦିଲୀପ ମନା କରିବାରୁ ତାଙ୍କୁ ମାଡ଼ ମାରିଥିଲେ। ଶେଷରେ ୪୦,୦୦୦ ଟଙ୍କା ଦେବା ପାଇଁ କଥା ଛିଣ୍ଡିଥିଲା। ଏହାପରେ ବି ତାଙ୍କୁ ମୁକ୍ତ କରାଯାଇ ନଥିଲା।’
ଦିଲୀପ ଏହି ଅପମାନ ଏବଂ ନିର୍ଯାତନା ସହ୍ୟ କରିପାରି ନଥିଲେ। ଘରେ ପହଞ୍ଚିବା ମାତ୍ରେ ସେ ଏକ ଧଳା ପ୍ୟାଣ୍ଟରେ ତାଙ୍କର ଶେଷ କଥାରେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ନାମ, ପୁଲିସର ଲାଞ୍ଚ ଏବଂ ମାନସିକ ନିର୍ଯାତନାର ଯନ୍ତ୍ରଣା ବର୍ଣ୍ଣନା କରିଥିଲେ। ଏହା ପରେ ସେ ତାଙ୍କ କୋଠରୀରେ ଫାଶୀ ଦେଇ ଜୀବନ ହାରି ଦେଇଥିଲେ।
ଦିଲୀପଙ୍କ ବାପା ଏବଂ କାକା ଏହି ଘଟଣାକୁ ନେଇ କହିଛନ୍ତି, ‘ ପୁଲିସ ଏବଂ ଶ୍ୱଶୁର ଘର ଲୋକଙ୍କ ସହମତି ଯୋଗୁଁ ଏସବୁ ଘଟିଛି।’
ପୁଲିସ ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି, ଏକ ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଚାଲିଛି, ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।