ଆଗ୍ରା: ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ କଟା ମୁଣ୍ଡ ଧରି ସୋମବାର ଉତ୍ତରପ୍ରଦେଶର ଏକ ପୁଲିସ୍ ଷ୍ଟେସନ୍ରେ ପହଞ୍ଚିଥିବା ସୂଚନା ରହିଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ମଦ୍ୟପାନ କରିବାକୁ ବାଧା ଦେବାରୁ ବ୍ୟକ୍ତି ଜଣକ ରାଗରେ ଆସି ନିଜ ପତ୍ନୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କୁ ହତ୍ୟା କରିବା ପରେ ପତ୍ନୀର କଟା ମୁଣ୍ଡ ଧରି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି।
ଏହି ଘଟଣା ଆଗ୍ରାର ହରି ପବର୍ତ ପୁଲିସ୍ ଷ୍ଟେସନ୍ ଅଧୀନରେ ଥିବା ଏତମଦୁଦାଉ ଅଞ୍ଚଳରେ ରବିବାର ରାତିରେ ଘଟିଥିବା ସୂଚନା ରହିଛି। ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି ନରେଶ। ସେ ଜଣେ ଟିଭି ମେକାନିକ୍। ସେ ୧୭ ବର୍ଷ ତଳେ ଶାନ୍ତିଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି।
ପୂର୍ବରୁ ମଧ୍ୟ ନରେଶଙ୍କ ମଦ୍ୟପାନକୁ ନେଇ ଅନେକ ଥର ପାରିବାରିକ କଳହ ଉପୁଜିଛି। ରବିବାର ରାତିରେ କଳହ ବଢ଼ିଯିବାରୁ ନରେଶ ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।