ପୀଲୀଭୀତ: ଟାଙ୍ଗିଆରେ ହାଣି ସ୍ବାମୀଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିବା ପରେ ଉତ୍ତର ପ୍ରଦେଶର ପୀଲଭୀତ ଜିଲ୍ଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ମୃତ ସ୍ବାମୀ ହେଉଛନ୍ତି ଗୈରାଉଲା ଅଞ୍ଚଳର ଶିବନଗର ନିବାସୀ ୫୫ ବର୍ଷିୟ ରାମ ପାଲ। ଗୋଟାଏ ଖଟିଆରେ ବାନ୍ଧି ପକାଇ ତାଙ୍କ ସ୍ତ୍ରୀ ତାଙ୍କୁ ଟାଙ୍ଗିଆରେ ହାଣି ୫ ଖଣ୍ଡ କରିପକାଇଥିଲେ।
ରାମ ପାଲ୍ ନିଖୋଜ ହୋଇଯାଇଥିବା କଥା ଘରଠାରୁ ଅଳ୍ପ ଦୂରରେ ପିଲାପିଲିଙ୍କୁ ନେଇ ଅନ୍ୟତ୍ର ରହୁଥିବା ତାଙ୍କ ପୁଅ ପ୍ରଥମେ ରିପୋର୍ଟ କରିଥିଲେ।
କିଛି ଦିନ ଧରି ରାମ ପାଲ୍ଙ୍କ ସ୍ତ୍ରୀ ଦୁଲାରୋ ଦେବୀ ତାଙ୍କ (ରାମ) ସ୍ବାମୀଙ୍କ ବନ୍ଧୁଙ୍କ ପାଖରେ ରହିବା ପରେ ପ୍ରାୟ ମାସେ ପରେ ଗାଁ’କୁ ଫେରି ସ୍ବାମୀ ନିରୁଦ୍ଦିଷ୍ଟ ହୋଇଯାଇଥିବା କଥା ପୁଅକୁ ଜଣାଇଥିଲେ।
ସନ୍ଦେହ ହେବାରୁ ପୁଲିସ ଦୁଲାରୋ ଦେବୀଙ୍କୁ ହାଜତକୁ ନେଇ ସ୍ବାମୀଙ୍କ କଥା ପଚରା ଉଚରା କରିବାରୁ ସେ ଅପରାଧ ସ୍ବୀକାର କରି କହିଲେ ଯେ, ରବିବାର ରାତିରେ ସ୍ବାମୀ ଶୋଇଥିବା ବେଳେ ସେ ତାଙ୍କୁ ହତ୍ୟା କରିଥିଲେ।
ପାଖ କେନାଲ୍ରେ ସେ ସ୍ବାମୀଙ୍କ କଟା ଶବକୁ ଫିଙ୍ଗି ଦେଇଥିବା କଥା ବି ପୁଲିସକୁ କହିଲେ।
କେନାଲ୍ରୁ ରାମ ପାଲ୍ଙ୍କ ଶବ ଖଣ୍ଡ ଉଦ୍ଧାର କରିବା ଲାଗି ବୁଡ଼ାଳିମାନଙ୍କ ସହାୟତା ନିଆଯାଉଥିବା କଥା ପୁଲିସ କହିଛି। କେନାଲ୍ରୁ ରାମ ପାଲ୍ଙ୍କ ରକ୍ତରଞ୍ଜିତ ପୋଷାକ ଓ ବିଛଣା ମିଳିଛି।
ଅପରାଧର କାରଣ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରାଯାଇଥିବା କଥା ପୁଲିସ କହିଛି।