ବାଣୀବିହାର ଗଣ୍ଡଗୋଳ ଘଟଣା: ୨ ଗିରଫ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଦୁଇଛାତ୍ର ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଆଜି ସହିଦନଗର ଥାନା ପୁଲିସ ୨ ଅଣଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ ସହିଦନଗର ଇପିଏଫ୍‌ କଲୋନିର ଅଶୁତୋଷ ମହାପାତ୍ର ଓ ସୌମ୍ୟ ରଞ୍ଜନ ନାୟକ। ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏମ୍‌ବିଏ ବିଭାଗରେ ବାର୍ଷିିକ ଉତ୍ସବ ପାଳନ ଚଲିଥିଲା। କୌଣସି କାରଣକୁ ନେଇ ବିଭାଗର କେତେକ ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଗୋଟିଏ ଗୋଷ୍ଠୀର ଛାତ୍ର ଆଶୁତୋଷ ଓ ସୌମ୍ୟଙ୍କୁ ଫୋନ୍‌କରି ଘଟଣା ବିଷୟରେ କହିବା ସହ ସେଠାକୁ ଡକାଇଥଇଲେ। ଉଭୟ ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳ ବଢ଼ିଯାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ଥାନାକୁ ଆଣିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର : ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଆଜି କ୍ୟାପିଟାଲ ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନାଁ ଜିତୁ ନାଏକ। ଘର ବଡ଼ମ୍ବା ଥାନା ଅଧୀନ ବେଲିଆପାଳ। ନାବାଳିକା ଜଣଙ୍କ କିଛି ଦିନ ତଳେ ବେଲିଆପାଳରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଜିତୁ ନାବାଳିକଙ୍କୁ ଦେଖି ଭଲପାଇ ବସିଥିଲେ। ଏହାପରେ ସେ ନାବାଳିକାଙ୍କ ଘରକୁ ପ୍ରସ୍ତାବ ପଠାଇଥିଲେ। ଝିଅ ନାବାଳିକା ହୋଇଥିବାରୁ ଏହି ପ୍ରସ୍ତାବରେ ଝିଅର ମା’-ବାପା ରାଜି ହୋଇ ନଥିଲେ। ମାତ୍ର ୧୦ ତାରିଖ ଦିନ ଜିତୁ ନାବାଳିକଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ଘରୁ ଉଠାଇ ନେଇଥିଲେ। ଏନେଇ ନାବାଳିକାଙ୍କ ମା’ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଜିତୁକୁ ଗରିଫ କରିଥିଲା।

ସମ୍ବନ୍ଧିତ ଖବର