ନୂଆଦିଲ୍ଲୀ: ତାମିଲନାଡ଼ୁର ଭେଲୋରର ସରକାରୀ ମେଡିକାଲ କଲେଜ ହସ୍ପିଟାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ନର୍ସଙ୍କ ଅବହେଳା ହେତୁ ନବଜାତ ଶିଶୁର ଆଙ୍ଗୁଳି କଟିଯିବାର ଅଭିଯୋଗ ହୋଇଛି। ଉକ୍ତ ନର୍ସ ଜଣକ ଚିକିତ୍ସା ପଦ୍ଧତିରେ ୧୫ବର୍ଷର ଅଭିଜ୍ଞତା ଥିବା କୁହାଯାଉଛି।
ସୂଚନାଯୋଗ୍ୟ, ମଇ ୨୪ ତାରିଖରେ ବିମଲରାଜ ତାଙ୍କ ସ୍ତ୍ରୀ ନିବେଥାଙ୍କ ପ୍ରସବ ପାଇଁ ତାମିଲନାଡ଼ୁର ଭେଲୋରର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ନିବେଥା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ଶିଶୁର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ କିଛି ସମୟ ତାକୁ ନୀରିକ୍ଷଣରେ ରଖାଯାଇଥିଲା। ଚିକିତ୍ସା ପରେ ଶିଶୁର ହାତରେ ଲାଗିଥିବା ଗ୍ଲୁକୋଜର ଛୁଞ୍ଚି ବାହାର କରୁଥିବା ବେଳେ ନର୍ସ ଜଣକ ଫୋନରେ କଥା ହେଉଥିଲେ। ଏହି ସମୟରେ ସେ ଛୁଞ୍ଚି ବାହାର କରିବା ପାଇଁ ଲାଗିଥିବା ଟ୍ୟାପକୁ କଇଁଚିରେ କାଟିବା ବଦଳରେ ଶିଶୁର ଆଙ୍ଗୁଳି କାଟି ଦେଇଥିଲେ।
ପୀଡ଼ିତ ଶିଶୁଙ୍କ ବାପା ଅଭିଯୋଗ କରି କହିଛନ୍ତି, ‘ମୋ ନବଜାତ ଶିଶୁକୁ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ମୋ ସହିତ ଭେଟ କରାଇ ଦିଆଯାଇ ନଥିଲା। ନର୍ସ ଶିଶୁର ଆଙ୍ଗୁଳି କାଟିଦେବା ପରେ ତୁରନ୍ତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇସ୍ଥିତ ଷ୍ଟେନଲି ସରକାରୀ ହସ୍ପିଟାଲକୁ ପଠାଇ ଦେଇଥିଲେ। ସେଠାରେ ଶିଶୁର ଜରୁରୀକାଳିନ ଅସ୍ତ୍ରୋପଚାର କରାଯାଇଥିଲା। ଚିକିତ୍ସା ପରେ ଶିଶୁ ସୁସ୍ଥ ଅଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଓ ସ୍ବାସ୍ଥ୍ୟବିଭାଗ ଯାଞ୍ଚ ଆଦେଶ ଦେଇଛନ୍ତି। ଏହି ଘଟଣାରେ ଯିଏବି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।