ନୂଆଦିଲ୍ଲୀ: ଗାଜିଆବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚାକୁ ଆସିବାର କାରଣ ହେଉଛି ଏକ ଭାଇରାଲ୍ ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ରାଇଫଲ ସହିତ ନାଚୁଥିବା ଦେଖିବାକୁ ମିଳୁଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ପ୍ରଥମେ କାରରେ ବସି ବନ୍ଧୁକରେ ଗୁଳି ଭରିଥିଲେ। ଏହାପରେ ସେ କାର ଝରକାରୁ ବନ୍ଧୁକ ବାହାର କରି ଗୁଳି ଫୁଟାଇଥିଲେ। ଆଉ ତାଙ୍କର ଅନ୍ୟ କିଛି ସାଥୀଙ୍କ ସହିତ ରାସ୍ତାରେ ନିଜ କାରକୁ ଅଟକାଇ ମଦ ପଇଥିଲେ । ଏହାପରେ ଗଳାରେ ବନ୍ଧୁକ ଝୁଲାଇ ନାଚିଥିଲେ। ଏହି ଘଟଣାର ଭିଡିଓ କରି ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଥିଲା।
ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ଗାଡି ଚିହ୍ନଟ କରିଥିଲା। ଏହି ଗାଡ଼ିର ମାଲିକ ରାଜା ଚୌଧୁରୀ ସେ ଚିରଞ୍ଜୀବ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି।
ପୁଲିସ ଗତ ବର୍ଷ ଡିସେମ୍ବରରେ ଏହିପରି ଭାବେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ବ୍ୟକ୍ତି ଜଣକ କାରକୁ ରାସ୍ତାରେ ଅଟକାଇ ଦୁଇଜଣ ମହିଳାଙ୍କ ସହ ନାଚୁଥିଲେ। ଯେଉଁ କାରଣରୁ ରାସ୍ତାରେ ଲମ୍ବା ଜାମ ଲାଗି ରହିଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇବା ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା।