ଆଗ୍ରା: ଲୁଚି ଲୁଚି ପ୍ରେମିକକୁ ଭେଟୁଥିଲେ ମହିଳା। ଦୁହିଁଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ସ୍ବାମୀ। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଘଟଣା। ସ୍ୱାମୀ ନିଜ ପତ୍ନୀଙ୍କୁ ହୋଟେଲ ରୁମରେ ପ୍ରେମିକ ସହ ଦେଖିବା ପରେ ତାଙ୍କ ରକ୍ତ ଗରମ ହୋଇଯାଇଥିଲା। ଦୁହିଁଙ୍କୁ ବାହାରକୁ ଟାଣି ଆଣି ମାଡ଼ ମାରିଥିଲେ ମହିଳାଙ୍କ ସ୍ବାମୀ। ଏହା ପରେ ୩ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହେବା ସହ ଝଗଡ଼ା ବଢ଼ିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରକୃତ ଘଟଣା ବିଷୟରେ ଜାଣିବା ପରେ ଏବେ ପୁଲିସ ପ୍ରେମିକକୁ ଅଟକ ରଖିଥିବା ଜଣାପଡ଼ିଛି।
ମହିଳାଙ୍କ ସ୍ବାମୀ ପୁଲିସ ଆଗରେ କରିଥିବା ଅଭିଯୋଗ ମୁତାବକ, କିଛି ଦିନ ହେଲାଣି ସେ ନିଜ ପତ୍ନୀଙ୍କ ଆଚରଣରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ। ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ। ମଙ୍ଗଳବାର ସକାଳେ ଯେତେବେଳେ ତାଙ୍କ ପତ୍ନୀ ବାହାନା କରି ଘରୁ ବାହାରକୁ ଆସିଥିଲେ, ସ୍ୱାମୀ ମଧ୍ୟ ତାଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ। ଘରୁ ବାହାରି ପତ୍ନୀ ଟ୍ରାନ୍ସ ଯମୁନା ଅଞ୍ଚଳରେ ଥିବା ଏକ ହୋଟେଲରେ ପ୍ରବେଶ କରିଥିବା ଦେଖିଥିଲେ ତାଙ୍କ ସ୍ବାମୀ। ପତ୍ନୀଙ୍କୁ ଅନୁସରଣ କରି ସ୍ୱାମୀ ମଧ୍ୟ ହୋଟେଲରେ ପହଞ୍ଚିଥିଲେ। ଏହା ପରେ ନିଜର ଜଣେ ବନ୍ଧୁଙ୍କୁ ଡକାଇ ହୋଟେଲର ରୁମ ଖୋଲିଥିଲେ ମହିଳାଙ୍କ ସ୍ବାମୀ। ଭିତରେ ପତ୍ନୀକୁ ଅନ୍ୟ ପୁରୁଷ ସହ ଦେଖି ସ୍ବାମୀର ରାଗ ସୀମା ଲଙ୍ଘିଥିଲା ଏବଂ ସେ ଦୁହିଁଙ୍କୁ ବାହାରକୁ ଟାଣି ଆଣି ମାଡ଼ ମାରିଥିଲେ।
କୁହାଯାଉଛି ଯେ, ଦୁହେଁ ୬ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର କିଛି ମାସ ପରେ ଝଗଡ଼ା ହେବାରୁ ମହିଳା ବାପ ଘରେ ଯାଇ ରହିଥିଲେ। କିଛି ମାସ ତଳେ ଦୁହିଁଙ୍କ ପରିବାର ସମସ୍ୟାର ସମାଧାନ କରିବାରୁ ମହିଳାଜଣକ ଆସି ଶାଶୁଘରେ ରହିବା ଆରମ୍ଭ କରିଥିଲେ। ହେଲେ ପରେ ତାଙ୍କର ଅନୈତିକ ସମ୍ପର୍କ ଥିବା ଜାଣିପାରିଥିଲେ ତାଙ୍କ ସ୍ବାମୀ।