ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ସହରରୁ ମଙ୍ଗଳବାର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ୧୯ବର୍ଷର ଯୁବକ ଜଣେ ଛାତ୍ରୀଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାରେ ଛାତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଉକ୍ତ ଯୁବକକୁ କାବୁ କରି ସଙ୍ଗେସଙ୍ଗେ ପୁଲିସ ଜିମା ଦେଇଥିଲେ। ଏହି ଘଟଣା ସଦାଶିବ ପେଠ ଅଞ୍ଚଳସ୍ଥ ତିଲକ ସ୍ମାରକ ସଭାଗୃହ ନିକଟରେ ଘଟିଛି।
କୁହାଯାଉଛି କି ପୀଡିତ ଓ ଅଭିଯୁକ୍ତ ଗୋଟିଏ କଲେଜରେ ପାଠପଢ଼ୁଥିଲେ। ଯୁବତୀ ଜଣକ ଯୁବକ ସହିତ କଥା ହେଉଥିବା ବେଳେ ହଠାତ କଥା ହେବା ବନ୍ଦ କରି ଦେଇଥିଲେ। ଏଥିରେ ଯୁବକ ଜଣକ ରାଗି ଯାଇ ରାସ୍ତାରେ ସସସ୍ତଙ୍କ ସମ୍ମୁଖରେ କଟୁରୀରେ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲା।
ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ବିରୋଧରେ ପୁଲିସ ୩୦୭ଧାରାରେ ମାମଲା ରୁଜୁ କରିଛି।
ହସ୍ପିଟାଲରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ପୀଡିତା କହିଛନ୍ତି, ଆକ୍ରମଣ କରୁଥିବା ଯୁବକ ମୋ ସହିତ କଲେଜରେ ପାଠ ପଢ଼ୁଥିଲା। ମୁଁ ତା ସହିତ କଥା ହେଉଥିଲି। କିନ୍ତୁ ମୋତେ ତା’ର ସ୍ବାଭାବ ଭଲ ନଲାଗିବାରୁ ମୁଁ କଥା ହେବା ବନ୍ଦ କରି ଦେଇଥିଲି। ଏହାପରେ କଲେଜରୁ ମୁଁ ଫେରିବା ବାଟରେ ସେ ମୋ ସହିତ କଥା ହେବାକୁ ଉଦ୍ୟମ କରୁଥିବା ବେଳେ ପ୍ରେମ ପ୍ରସ୍ତାବ ଦେଇଥିଲା। ଯାହାକୁ ମୁଁ ମନା କରିଦେବା ପରେ ସେ ମୋ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।’