ଭିଜିଲାନ୍ସ ଦ୍ୱାରା ତିନି ଗିରଫ

ବ୍ରହ୍ମପୁର/ବାରିପଦା: ଭିଜିଲାନ୍ସ ଅଧିକାରୀ ଆଜି ବ୍ରହ୍ମପୁର ଓ ବାରିପଦାରେ ଚଢ଼ାଉ କରି ୩ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛନ୍ତି। ବ୍ରହ୍ମପୁରରେ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜଣେ ହୋଟେଲ ମାଲିକଙ୍କ ଠାରୁ ଲାଇସେନ୍ସ ନବୀକରଣ କରିବା ପାଇଁ ହଜାରେ ଟଙ୍କା ଲାଂଚ ନେଉଥିବା ବେଳେ ସେ ଗିରଫ ହୋଇଛନ୍ତି। ଏଥିରେ ସହଯୋଗ କରିଥିବା ଅଭିଯୋଗରେ ତାଙ୍କ ହେଲ୍‌ପର୍‌ ଧର୍ମାନନ୍ଦ ନାୟକ ମଧ୍ୟ ଗିରଫ ହୋଇଛନ୍ତି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେସ୍‌ନଂ ୩୨/୧୮ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିଭଳି, ବାରିପଦାଠାରେ ଜିଲ୍ଲା ଯୋଜନା ଓ ଯାଞ୍ଚ୍‌ ପରିସଂଖ୍ୟାନ ୟୁନିଟ୍‌ର ମୁଖ୍ୟ କିରାଣି ତଥା ଆକାଉଣ୍ଟାଣ୍ଟ ଗୁରୁଚରଣ ମୁଣ୍ଡା ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଉକ୍ତ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ବାରିପଦାସ୍ଥିତ କାର୍ଯ୍ୟାଳୟରେ ପେନ୍‌ସନ୍‌ ଓ ଜିପିଏଫ୍‌ କାଗଜପତ୍ର କରାଇଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ମୁଣ୍ଡା ଭିଜିଲାନ୍‌ସ ହାବୁଡ଼ରେ ପଡ଼ିଥିଲେ।

ସମ୍ବନ୍ଧିତ ଖବର