ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା ପୂର୍ବରୁ ଜଣାଶୁଣା ବ୍ୟବସାୟୀ ବିକାଶ ମାଲୁଙ୍କ ରୋଲ୍ସ-ରୋଏସ୍ ଫାଣ୍ଟମ୍ ର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳର ୨୮ କିଲୋମିଟର ପୂର୍ବରୁ ଥିବା ଟୋଲପ୍ଲାଜାର ସିସିଟିଭି ଫୁଟେଜ ଜାରି କରାଯାଇଛି । ସୂଚନାନୁସାରେ, ବିକାଶ ମାଲୁଙ୍କ ଗାଡ଼ିସହ ଥିବା ୧୪ଟି ଗାଡି ମଧ୍ୟରୁ କୌଣସି ଗୋଟିଏ ବି ଗାଡି ଟୋଲଦେୟ ଦେଇ ନଥିବା ଜଣାପଡ଼ିଛି। ସମସ୍ତ ଗାଡି ଟୋଲର ପାର୍ଶ୍ୱବର୍ତ୍ତୀ ଲାଇନରୁ ବାହାରିଥିଲା। ନୁହ ଏସପି ଏହି ସୂଚନା ଦେଇଛନ୍ତି।

Advertisment

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ନୁହ ନିକଟରେ ଏକ ଡିଜେଲ ଟ୍ୟାଙ୍କର୍ ଓ ରୋଲ୍ସ ରୋଏସ୍ ଫାଣ୍ଟମ୍ କାରର ଦୁର୍ଘଟଣା ଘଟିଥିଲା। କୁବେର ଗ୍ରୁପ ମାଲିକ ବିକାଶ ମାଲୁ ଏହି କାରରେ ଯାଉଥିଲେ। ଏହି ଦୁର୍ଘଟଣାରେ ବିକାଶ ମାଲୁ ସାମାନ୍ୟ ଆହତ ହୋଇଛନ୍ତି। ସେ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ତାଙ୍କର ଅପରେସନ ହେବ। ଦୁର୍ଘଟଣା ସମୟରେ କାରର ଗତି ପ୍ରାୟ ୨୦୦ କିଲୋମିଟର ଥିଲା। ବିକାଶ ମାଲୁଙ୍କ ଓକିଲ ଆର.କେ ଠାକୁରଙ୍କ କହିଛନ୍ତି ଯେ, ଡ୍ରାଇଭର ରୋଲ୍ସ ରୋଏସ୍ ଫାଣ୍ଟମ୍ କାର୍ ଚଳାଉଥିଲେ। ବିକାଶ କାରରେ ବସିଥିଲେ। ବିକାଶ ଠିକ୍ ଭାବରେ ଚାଲି ପାରନ୍ତି ନାହିଁ ତେଣୁ ସେ ପଛରେ ବସିଥିଲେ। କାର ଚଳାଉଥିବା ଡ୍ରାଇଭରଙ୍କୁ ପୁଲିସ ବର୍ତମାନ ପଚରାଉଚରା କରୁଛି।

କୁବେର ଗ୍ରୁପ୍ ଖଇନି ନିଜର ବ୍ୟବସାୟ ଆରମ୍ଭ କରିଥିଲା। କୁବେର ଗ୍ରୁପ୍ ବ୍ୟବସାୟ ପ୍ରାୟ ୫୦ଟି ଦେଶରେ ବ୍ୟାପିଛି। ବ୍ୟବସାୟ ଜଗତରେ ବିକାଶ ମାଲୁ ଏକ ବଡ ନାମ ଏବଂ ଦେଶ ତଥା ବିଶ୍ୱରେ ତାଙ୍କର ଏକ ବଡ ସଂସ୍ଥା ରହିଛି। ପ୍ରଥମେ ବିକାଶ ମାଲୁ କୁବେର ଆକ୍ୱା ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ହୋଇଥିଲେ। କୁବେର ମାର୍ଟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡକୁ ଶିଖରରେ ପହଞ୍ଚାଇବାରେ ୪୮ ବର୍ଷ ବୟସ୍କ ବିକାଶ ମାଲୁଙ୍କ ଶ୍ରେୟ ରହିଛି।  କୁବେର ଗ୍ରୁପ୍ ୧୯୮୫ ରେ ବିକାଶ ମାଲୁଙ୍କ ପିତା ମଲଚାନ୍ଦ ମାଲୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସର୍ବପ୍ରଥମେ ସେ ଖଇନି ବ୍ୟବସାୟ ଆରମ୍ଭ କରିଥିଲେ। କୁବେର ଖଇନି ୧୯୮୯ରେ ଆରମ୍ଭ ହୋଇଥିଲା। ବର୍ତମାନ ସମୟରେ ଏହା ତମାଖୁ ସେଗମେଣ୍ଟରେ ଏକ ବଡ ବ୍ରାଣ୍ଡ୍। କେବଳ ଭାରତ ବଜାରରେ କୁବେର ଖଇନିର ୨ ମିଲିୟନ ଡଲାରରୁ ଅଧିକ କାରବାର ରହିଛି।

କମ୍ପାନିର କହିବାନୁସାରେ, ଦେଶରେ ସମୁଦାୟ ୧୪ ଲକ୍ଷ ବିକ୍ରେତା ଅଛନ୍ତି, ଏହା ବ୍ୟତୀତ ଏହା ଅନେକ ଦେଶକୁ ରପ୍ତାନି କରିଥାଏ। କୁବେର ଗ୍ରୁପ୍ ପାନ ମସଲା, ମାଉଥ୍ ଫ୍ରେଶନର ଓ ଧୂପ ଇତ୍ୟାଦିର ବ୍ୟବସାୟ ମଧ୍ୟ ରହିଛି। ୧୯୯୩ ମସିହାରେ ବିକାଶ ମାଲୁ କୁବେର ଗ୍ରୁପର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ।