ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ଗ‌ଣ୍ଡଗୋଳ କରି ୩ ଗିରଫ

ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡୁମୁଡୁମାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗଣ୍ଡ‌ଗୋଳ କରି ଜଣେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଯଦୁପୁର ଅଞ୍ଚଳର ସୟଦ୍ ଫାରୁକ୍‌ ଅଲ୍ଲୀ(୨୩), ସେକ୍ ସବିର୍(୨୬) ଓ ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍-୫ର ସୟଦ୍ ତୌଫିକ୍‌ ଅଲ୍ଲୀ(୨୪)।

ପୁଲିସ୍‌ ସୂଚନାନୁସାରେ, ଗତକାଲି ଯଦୁପୁର ଅଞ୍ଚଳର ଜଣେ ୧୫ବର୍ଷର ନାବାଳିକା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାରଲୋକେ ତାକୁ ନିକଟସ୍ଥ ଘରୋଇ ହସ୍ପିଟାଲକୁ ଆଣିଥିଲେ। ମାତ୍ର ସେତେବେଳେ କୌଣସି ଡାକ୍ତର ନଥିବା ଦର୍ଶାଇ କର୍ମଚାରୀମାନେ ଅସୁସ୍ଥ ନାବାଳିକାକୁ ଅନ୍ୟତ୍ର ନେଇଯିବାକୁ କହିଥିଲେ। ଏମିତିକି ତାଙ୍କୁ ପ୍ରାଥମିକ ଚିକିତ୍ସା ମଧ୍ୟ କରିବାକୁ କୌଣସି କର୍ମଚାରୀମାନେ ଆଗ୍ରହ ଦେଖାଇନଥିଲେ ବୋଲି ଅଭି‌ଯୋଗ ହୋଇଥିଲା। ତେଣୁ ଉତ୍ତ୍ୟକ୍ତ ହୋଇ ସାଙ୍ଗରେ ଆସିଥିବା ଏହି ଯୁବକମାନେ କର୍ମଚାରୀ ବସିର କୁମାର ବାଗଙ୍କୁ ମାର୍‌ପିଟ କରିଥିଲେ। ଏ ନେଇ ହସ୍ପିଟାଲ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର