ଭିଡ ହିଂସାର ଶିକାର ହୋଇ ଜୀବନ ଭିକ୍ଷା କରୁଥିଲା ଡିଏସ୍‌ପି, ବଞ୍ଚାଇବା ପରିବର୍ତ୍ତେ ଏକା ଛାଡ଼ି ଚାଲି ଆସିଲେ ଅଙ୍ଗରକ୍ଷୀ

ପଟନା : ବିହାରରେ ପୁଣି ଭିଡ଼ ହିଂସା ହୋଇଥିବା ବେଳେ ଏହାର ଶିକାର ହୋଇଛନ୍ତି ଡିଏସ୍‌ପି ରଘୁନାଥ ସିଂହ । ସାଧାରଣ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଦାୟିତ୍ୱରେ ଥିବା ପୁଲିସର ଏଭଳି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡିଏସ୍‌ପିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଯେଉଁ ସମୟରେ ଡିଏସ୍‌ପି ରଘୁନାଥଙ୍କ ଉପରେ ଆକ୍ରମଣ କରାଗଲା,ସେ ସମୟରେ ତାଙ୍କ ସହ ତାଙ୍କ ଅଙ୍ଗରକ୍ଷୀ ରହିଥିଲେ ।

କିନ୍ତୁ ଭିଡ଼ର ହିଂସା ବଢ଼ୁଥିବା ଦେଖି ସେମାନେ ସେଠାରୁ ଚାଲି ଆସିଥିଲେ । ଏହା ପରେ ଲୋକମାନେ ଡିଏସ୍‌ପି ରଘୁନାଥଙ୍କୁ କାବୁ କରି ବିଧା ଗୋଇଠା ଦେବା ସହ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ । ଏହି ଆକ୍ରମଣର ଶିକାର ହେବା ପରେ ଡିଏସ୍‌ପି ରଘୁନାଥଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ତାଙ୍କ ହାତ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ଏବେ ଡିଏସ୍‌ପି ରଘୁନାଥଙ୍କ ଚିକିତ୍ସା ବନାରସର ଏକ ଡ଼ାକ୍ତରଖାନାରେ ଚାଲୁ ରହିଛି ।

ସୂଚନା ମୁତାବକ, କୈମୁରରେ ଦଳିତ ଛାତ୍ରୀଙ୍କ ସହ ଦୁଷ୍କର୍ମ ହେବା ପରେ ଲୋକମାନେ ରାଗରେ ପଥର ମାଡ଼ କରିବା ସହ ଥାନା ଜାଳି ଦେଇଥିଲେ । ଭିଡ଼କୁ ବୁଝାଇବା ପାଇଁ ଯେତେବେଳେ ଡିଏସ୍‌ପି ରଘୁନାଥ ଆଗକୁ ଆସିଲେ ସେତେବେଳେ ରାଗରେ ଥିବା ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ହଠାତ୍‌ ଏଭଳି ହେବାରୁ ଡିଏସ୍‌ପି ରଘୁନାଥଙ୍କ ଅଙ୍ଗରକ୍ଷକ ନିଜ ଜୀବନ ବଞ୍ଚାଇ ସେଠାରୁ ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର