ଲକ୍ଷ୍ନୌ: ପୁଲିସକର୍ମୀଙ୍କୁ ତୀରରେ ଆକ୍ରମଣ କରି ରକ୍ତାକ୍ତ କଲେ ବ୍ୟକ୍ତି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜ ଥାନା ଅଞ୍ଚଳରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ନିୟୋଜିତ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର (ଏଏସଆଇ)ଙ୍କୁ ଜଣେ ବ୍ୟକ୍ତି ଧନୁ ଏବଂ ତୀର ସାହାଯ୍ୟରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଆହତ ହୋଇଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା, ଯାହା ଏବେ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି ଯେ, କିପରି ଅଭିଯୁକ୍ତ ଦିନେଶ ମୁର୍ମୁ, ସିବିଆଇ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।

Advertisment

ଭିଡିଓରେ ଦେଖାଯାଉଛି ଯେ, ଏଏସଆଇ ବୀରେନ୍ଦ୍ର ସିଂହ ଅଫିସ ଗେଟରେ ଠିଆ ହୋଇଛନ୍ତି। ସେ ଗେଟ୍ ବାହାରକୁ ଟିକିଏ ଯିବା ମାତ୍ରେ ତାଙ୍କ ଦେହରେ ଆସି ଏକ ତୀର ବାଜୁଛି। ଏହା ପରେ, ସେ ଆହତ ଅବସ୍ଥାରେ ଗେଟ୍ ଭିତରକୁ ଚାଲିଆସୁଛନ୍ତି। ବୀରେନ୍ଦ୍ର ଭିତରକୁ ଯିବାରୁ ଦିନେଶ ମୁର୍ମୁ ମଧ୍ୟ କାର୍ଯ୍ୟ‌ାଳୟ ଭିତରକୁ ଯାଇ ତାଙ୍କୁ ତୀର ମାରୁଛନ୍ତି। ତୀର ତାଙ୍କ ପେଟରେ ବାଜିଥିଲା ବୋଲି କୁହାଯାଉଛି। ତେବେ ଦିନେଶଙ୍କୁ ଦେଖି ଉପସ୍ଥିତ ଅନ୍ୟ ପୁଲିସକର୍ମୀ ତାଙ୍କୁ କାବୁ କରିନେଉଛନ୍ତି।

ନିଜ ଅପରାଧ ପାଇଁ ୨ଥର ଗିରଫ ହୋଇସାରିଥିବା ଦିନେଶ ଏବେ ପୁଣି ଥରେ ‌ଅପରାଧ କରିଛି। ପୁରୁଣା ଅପରାଧିକ ମାମଲାର ଯାଞ୍ଚ ‌ଏବେ ବି ସିବିଆଇ କରୁଥିବା ଭାବି ସେ ଏଭଳି ଆକ୍ରମଣ କରିଥିବା କୁହାଯାଉଛି।