କୋଲକାତା: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମକୁ ନେଇ ମମତା ବାନାର୍ଜୀଙ୍କ ବେପରୁଆ ବୟାନ ଏବେ ବିବାଦରେ। ତାଙ୍କ ବୟାନ ଶୁଣି ଅଭିଯୁକ୍ତଙ୍କ ପକ୍ଷ ନେଉଥିବା ଦାବି କରୁଛି ବିରୋଧୀ ଦଳ। ବିରୋଧୀଙ୍କ ନିରନ୍ତର ବୟାନବାଜି ମଧ୍ୟରେ, ପୁଣି ଜଣେ ତୃଣମୂଳ କଂଗ୍ରେସ ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ବିଳମ୍ବିତ ରାତିରେ ବାହାରକୁ ଯିବା ଉଚିତ୍ ନୁହେଁ, କାରଣ ପୁଲିସ ସବୁଠି ସୁରକ୍ଷା ଯୋଗାଇ ପାରିବ ନାହିଁ। ତାଙ୍କର ଏଭଳି ବୟାନ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଉପରେ ପ୍ରତିକ୍ରିୟା ଦେଇ ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି ଯେ, ଘଟଣା ସାମ୍ନାକୁ ଆସିବା ପରେ ହିଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବ। ମୁଁ ମହିଳାମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। ପଶ୍ଚିମବଙ୍ଗରେ ଏପରି ଘଟଣା ବହୁତ କମ୍ ଦେଖାଯାଏ। ପଶ୍ଚିମବଙ୍ଗରେ ଅନ୍ୟ ରାଜ୍ୟ ଅପେକ୍ଷା ମହିଳା ଅଧିକ ସୁରକ୍ଷିତ। କିନ୍ତୁ ମହିଳାମାନେ ବିଳମ୍ବିତ ରାତିରେ କଲେଜ ଛାଡିବା ଉଚିତ୍ ନୁହେଁ। କାରଣ ପୁଲିସ ସବୁଠି ପାଟ୍ରୋଲିଂ କରିପାରିବ ନାହିଁ। ରାସ୍ତାର ପ୍ରତ୍ୟେକ ଇଞ୍ଚରେ ସୁରକ୍ଷା ଯୋଗାଇ ଦିଆଯାଇପାରିବ ନାହିଁ। ପ୍ରତ୍ୟେକ ରାସ୍ତାରେ ପୁଲିସ ମୁତୟନ କରାଯାଇପାରିବ ନାହିଁ। ଘଟଣା ଘଟିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବ। ତେଣୁ, ମହିଳାମାନେ ମଧ୍ୟ ସତର୍କ ରହିବା ଉଚିତ।"
#WATCH | Kolkata, West Bengal: On the Durgapur alleged gang rape case, TMC MP Saugata Roy says, "Such cases are rare in Bengal. Women's safety in Bengal is better than in any other place... But women shouldn't leave their colleges so late at night, as the police can't patrol… pic.twitter.com/PVFeTBYC5p
— ANI (@ANI) October 13, 2025
ସୌଗତ ରାୟଙ୍କ ଏଭଳି ବୟାନକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି। କେହି କେହି ତାଙ୍କୁ ସମର୍ଥନ କରୁଥିବା ବେଳେ କେହି କେହି ତାଙ୍କ ବୟାନକୁ ବିରୋଧ କରୁଛନ୍ତି।
ସୂଚନାଯୋଗ୍ୟ, ଦୁର୍ଗାପୁରର ଏହି ଘଟଣା କୋଲକାତାର ଆରଜି କର ମେଡିକାଲ କଲେଜ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା ଘଟଣାର ଗୋଟିଏ ବର୍ଷ ପରେ ଏବଂ କୋଲକାତାର ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବାର ମାସକ ପରେ ଘଟିଛି। କଲେଜ ବା ଡାକ୍ତରଖାନା ଭଳି ସୁରକ୍ଷିତ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ବି କ୍ଷମତାରେ ଥିବା ସରକାର ଅଯଥା ଯୁକ୍ତି ଦେବାରେ ବ୍ୟସ୍ତ ରହିଛି।