ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ତାଙ୍କ ଶୋଇଥିବା ସ୍ତ୍ରୀଙ୍କ ନାକକୁ କାମୁଡ଼ି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବାପନ ଶେଖ ଥିବା ଜଣାାପଡ଼ିଛି।
ନଦିଆ ଜିଲ୍ଲାର ଶାନ୍ତିପୁର ଥାନା ଅନ୍ତର୍ଗତ ବେରପାରା ଅଞ୍ଚଳର ବାସିନ୍ଦା ଥିବା ପୀଡ଼ିତା ମଧୁ ଖାତୁନ୍ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ ମୋର ନଅ ବର୍ଷ ପୂର୍ବେ ବାପନ ଶେଖଙ୍କ ସହ ପ୍ରେମ ବିବାହ ହୋଇଥିଲା। ମୋର ୮ ବର୍ଷର ଝିଅ ମଧ୍ୟ ଅଛି। ସ୍ବାମୀ ବାପନ ପ୍ରାୟତଃ ମୋ ଚେହେରାର ଖୁବ ପ୍ରଶଂସା କରିଥାଆନ୍ତି। ବିଶେଷ କରି ନାକର ପ୍ରଶଂସା କରି କହିଥାଆନ୍ତି, ‘ତୋ ନାକ ବହୁତ ସୁନ୍ଦର। ମୁଁ ତାକୁ ଛିଣ୍ଡାଇ ଖାଇଦେବି।’ ଗତକାଲି ରାତିରେ ଝିଅକୁ ଧରି ଶୋଇଥିବା ସମୟରେ ସ୍ବାମୀ ମଦପାନ କରି ଆସିଥିଲେ। ଆଉ ମୋ ନାକକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ମୁଁ ଯନ୍ତ୍ରଣାରେ ଚିତ୍କାର କରି ଉଠିବା ସମୟରେ ସେ ମୋ ହାତକୁ ବି କାମୁଡ଼ି ପକାଇଥିଲେ।’