ମହିଳାଙ୍କ ସଂଗିନ୍‌ ଅଭିଯୋଗ: ସ୍ୱାମୀଙ୍କ ଜାଣତରେ ଦିଅର କରୁଥିଲା ଦୁଷ୍କର୍ମ

ଭୁବନେଶ୍ୱର: ସ୍ୱାମୀଙ୍କ ଜ୍ଞାତସାରରେ ଦିଅର କରୁଥିଲା ଦୁଷ୍କର୍ମ। ଖାଲି ସେତିକି ନୁହେଁ, ପରପୁରୁଷ ସହ ମଧ୍ୟ ମିଶିବାକୁ ବାଧ୍ୟ କରାଯାଉଥିଲା। ଟଙ୍କା ରୋଜଗାର ପାଇଁ ଏମିିତିି ନ କଲେ ପୋଡ଼ି ମାରି ଦେବାକୁ ମଧ୍ୟ ଧମକ ମିଳୁଥିଲା। ଦୀର୍ଘ ୬ ବର୍ଷ କାଳ ଏମିତି ନିର୍ଯାତନାର ଶିକାର ହେବା ପରେ ମୁହଁ ଖୋଲିଛନ୍ତି ମହିଳା। ଖଣ୍ଡଗିରି ଥାନାରେ କରିଛନ୍ତି ଲିଖିତ ଅଭିଯୋଗ। ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିିବା ଜଣାପଡ଼ିଛି। ମହିଳାଙ୍କ ଏଭଳି ସଂଗିନ୍‌ ଅଭିଯୋଗର ସତ୍ୟତାକୁ ନେଇ ଚାଲିଛି ଖୋଳତାଡ଼। ଏଭଳି ନିର୍ଯାତନା ସହି ସହି ସେହି ଶ୍ୱଶୁର ଘରେ ୬ ବର୍ଷ ମୁହଁମାଡ଼ି ଚୁପ୍‌ ରହିବା ବଡ଼ ଅସମ୍ଭବ କଥା ବୋଲି ପୁଲିସ ସନ୍ଦେହ କରୁଥିବା ଜଣାପଡ଼ିଛିି।

ଘଟଣାଟି ଏମିତି। ଗଞ୍ଜାମ ବ୍ରହ୍ମପୁର କମାପଲ୍ଲୀ ଅଞ୍ଚଳର ସୁନିତା(ଛଦ୍ମନାମ) ୨୦୧୧ ମସିହାରେ ବରମୁଣ୍ଡା ଜଗନ୍ନାଥବିହାରରେ ପ୍ରଶାନ୍ତଙ୍କୁ ବିବାହ କରିଥିଲେ। ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ସମୟରେ ସୁନିତାଙ୍କ ପରିବାର ପକ୍ଷରୁ ଶକ୍ତି ମୁତାବକ ଯୌତୁକ ଦିଆଯାଇଥିଲା। ଅଭିଯୋଗ ଅନୁସାରେ ମାତ୍ର ବର୍ଷକ ପରେ ସୁନିତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏକଦା ଦିଅର ସୁଶାନ୍ତ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଘରେ ଦୁଷ୍କର୍ମ କରିଥିଲେ ଓ ଏହା ପରିବାରର ସମସ୍ତଙ୍କ ଜ୍ଞାତସାରରେ ସୁଚିନ୍ତିତଭାବେ ହୋଇଥିଲା ବୋଲି ସୁନିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏମିତିକି ସ୍ୱାମୀ ପ୍ରଶାନ୍ତ ଟଙ୍କା ରୋଜଗାର ପାଇଁ ପରପୁରୁଷ ସହ ମିଶିବାକୁ ପଡ଼ିବ ବୋଲି କହିଥିବା ସେ ତାଙ୍କ ଅଭିଯୋଗର ଦର୍ଶାଇଛନ୍ତି। ସ୍ୱାମୀ ଓ ଦିଅର ତାଙ୍କ ନଗ୍ନ ଫଟୋ ଭିଡିଓ ରଖିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ପରିବାରର ମାନ ସମ୍ମାନ ରକ୍ଷା ଓ ଗରିବ ବାପାଙ୍କ ବୋଝ ହେବାକୁ ଇଚ୍ଛା ନ କରି ସୁନିତା ବାଧ୍ୟ ହୋଇ ଏସବୁ ସହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। କିନ୍ତୁ ତାଙ୍କୁ ପୋଡ଼ି ମାରିଦେବାକୁ ଯୋଜନା କରୁଥିବା ଜାଣିବା ପରେ ସେ ଘରୁ ପଳାଇ ଆସିଥିିଲେ। ପରେ ସେ ବ୍ରହ୍ମପୁରର ଜଣେ ମହିଳା ସମାଜସେବୀଙ୍କ ଜରିଆରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର