ଲକ୍ଷ୍ମୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଜଣେ ବ୍ୟକ୍ତିଙ୍କୁ ଅତି ନର୍ମମ ଭାବେ ହତ୍ୟା କରି ତିନିଖଣ୍ଡ କରି ଅଳିଆରେ ଫିଙ୍ଗି ଦେବାର ଘଟଣା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସ୍ଥାନୀୟ ବିବିନଗର ଅଞ୍ଚଳରେ ୫୯ବର୍ଷିଅ ତେଜରାମ ନିଜର ପତ୍ନୀ ଓ ପୁଅ ସହିତ ବସବାସ କରୁଥିଲେ। ତେଜରାମ ବହୁପୁର ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚୌକିଦାର ଥିଲେ । ଆଗାମୀ ବର୍ଷ ସେ ଚାକିରିରୁ ଅବସର ନେଇ ଥାଆନ୍ତେ। ତେବେ ସରକାରୀ ଚାକିରି ଲୋଭ ପାଇଁ ପତ୍ନୀ ମେମବତୀ ଓ ତାଙ୍କ ପୁଅ କପିଲ ଦୁହେଁ ମିଶି ତେଜରାମଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ। ତେଜରାମ ଖାଉଥିବା ବେଳେ ପତ୍ନୀ ଏକ କୁରାଢ଼ୀ ଆଣି ସ୍ୱାମୀଙ୍କ ହାତକୁ ପାହାର ପକାଇଥିବା ବେଳେ ପୁଅ କପିଲ ପିତାଙ୍କ ଗଳାକୁ ଚୋଟଟିଏ ପକାଇଥିଲା। ଫଳରେ ତେଜରାମ ଯନ୍ତ୍ରଣାରେ ଛଟପଟ ହୋଇ ଚଟାଣରେ ପଡ଼ିଯାଇଥିଲେ, ଏବଂ ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେଜରାମଙ୍କ ମୃତ୍ୟୁ ବିଷୟରେ କାଳେ କେହି ଜାଣି ଦେବେ ସେଥିପାଇଁ ମା’ ପୁଅ ଦୁହେଁ ମିଶି ପିତାଙ୍କ ମୃତଦେହକୁ ଏକ ଅଳିଆଗଦାରେ ଫିଙ୍ଗି ଦେଇଥିଲେ।
ତେବେ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ଅଳିଆ ଗଦାରୁ ତେଜରାମଙ୍କ ଖଣ୍ଡବିଖଣ୍ଡ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ହିଁ ପୁଲିସକୁ ତେଜରାମଙ୍କ ହତ୍ୟା ପଛରେ ପତ୍ନୀ ମେମବତୀ ଓ ତାଙ୍କର ପୁଅ କପିଲ ଉପରେ ସନ୍ଦେହ ହୋଇଥିଲା। ତେଣୁ ପତ୍ନୀ ଓ ପୁଅକୁ ପଚରାଉଚରା ପାଇଁ ଥାନାକୁ ଡକାଇଥିଲେ। ଏଠାରେ ମା’ ପୁଅ ଦୁହେଁ ଭାଙ୍ଗିପଡ଼ିଥିଲେ ଓ ହତ୍ୟାର ସମ୍ପୂର୍ଣ୍ଣ କାହାଣୀ ପୁଲିସ ଆଗରେ ବଖାଣିଥିଲେ।