ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ମୁସ୍କାନ ଏବଂ ପ୍ରେମିକ ସାହିଲ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ସିମେଣ୍ଟ ସହିତ ପ୍ୟାକ୍ କରିବା ଘଟଣା ସାରା ଦେଶକୁ ଚକିତ କରି ଦେଇଛି।
ଏହି ଘଟଣା ଥମି ନଥିବା ବେଳେ ଏମିତି ଏକ ଘଟଣା ମୁଜଫରନଗରର ଖତୌଲି ଥାନା ଅଞ୍ଚଳର ଏକ ଗାଁରୁ ସାମ୍ନାକୁ ଆସିଛି। ଦୁଇ ବର୍ଷ ପୂର୍ବେ ଗାଜିଆବାଦର ଲୋନି ଥାନା ଅଞ୍ଚଳର ରାହୁଲ (ଛଦ୍ମନାମ) ପିଙ୍କି(ଛଦ୍ମନାମ)ଙ୍କୁ ବିବାହ କରିଥିଲେ।
ରାହୁଲ ମିରଟର ଏକ ହସ୍ପିଟାଲରେ କାମ କରନ୍ତି। ବିବାହ ପରେ ରାହୁଲ ଓ ପିଙ୍କି ବେଶ ହସଖୁସିରେ ଦିନ କାଟୁଥିଲେ। ଏହାରି ଭିତରେ ଫିଙ୍କି ତାଙ୍କ ଭଣଜାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଏକଥା ରାହୁଲ ଜାଣିବା ପରେ ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ କଳି ଝଗଡ଼ା ଲାଗି ରହୁଥିଲା। ରାହୁଲ ପିଙ୍କିଙ୍କୁ ତାଙ୍କ ଭଣଜାଙ୍କ ସହ ସମ୍ପର୍କ କାଟିବାକୁ କହିଥିଲେ।
ଏହି କାରଣରୁ ପିଙ୍କି ରାଗ ରଖି ସ୍ବାମୀ ଡିୟୁଟିରୁ ଘରକୁ ଆସିବାପରେ ତାଙ୍କୁ କଫିରେ ବିଷ ମିଶାଇ ପିଇବାକୁ ଦେଇଥିଲେ। ରାହୁଲ ଯେମିତି ଉକ୍ତ କଫି ପିଇଥିଲେ ସଙ୍ଗେସଙ୍ଗେ ଗୁରୁତର ହୋଇପଡ଼ିଥିଲେ। ଏହା ଦେଖି ପିଙ୍କି ଭୟ କରି ସଙ୍ଗେସଙ୍ଗେ ସ୍ବାମୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋଦିପୁରମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏହି ଘଟଣାକୁ ନେଇ ରାହୁଲଙ୍କ ଭଉଣୀ ତାଙ୍କ ଭାଉଜଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୋ ଭାଇକୁ ଭାଉଜ ହତ୍ୟା କରିବାକୁ ଚାହୁଁଥିଲା। ସେଥିପାଇଁ ସେ କଫିରେ ବିଷ ମିଶାଇ ପିଇବାକୁ ଦେଇଥିଲା।
ଅଭିଯୋଗ ପରେ ପୁଲିସ ପିଙ୍କିଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ଏହି ସମୟରେ ପିଙ୍କି ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।
ପୁଲିସ ଅଧିକାରୀ ବ୍ରିଜେଶ କୁମାର ଶର୍ମା ଏହି ଘଟଣାକୁ ନେଇ କହିଛନ୍ତି, ‘ ମାମଲାରେ ପିଙ୍କିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି। ପ୍ରମାଣ ସଂଗ୍ରହ କରାଯାଉଛି। ତଦନ୍ତ ରିପୋର୍ଟ ଆସିଲେ ଯାଇ ସ୍ପଷ୍ଟ କାରଣ ଜଣାପଡ଼ିଛି। ପିଙ୍କି ଏବେ ତାଙ୍କ ବାପାଙ୍କ ଘରେ ଅଛନ୍ତି।’