ମହେନ୍ଦ୍ରଗଡ଼(ହରିୟାଣା) : ଭାଲେଣ୍ଟାଇନ୍ ଡେ’ରେ ଜଣେ ଦମ୍ପତିଙ୍କ ସୁଖମୟ ଜୀବନରେ ଗ୍ରହଣ ଲାଗିଛି । ଜଣେ ଦୁର୍ବୃତ୍ତ ନିଶା ଦେଇ ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ଯାହାକୁ ସେ ପରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ସଂପର୍କୀୟଙ୍କୁ ପଠାଇ ଥିଲେ । ହରିୟାଣାର ନାରାନୌଲରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କୁ ଜୁସ୍ରେ ନିଶା ଦେଇ ଅଭିଯୁକ୍ତମାନେ ଏଭଳି ଅପରାଧ କରିଛନ୍ତି । ଏ ନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମକାରୀ ଏବଂ ଭିଡିଓ ଉତ୍ତୋଳନ କରିଥିବା ଯୁବକଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୁଲିସ ଦେଇଥିବା ସୂଚନା ମୁତାବକ, ପଡ଼ୋଶୀ ଇନ୍ଦ୍ର କୌଶିକ୍ ପୀଡ଼ିତାଙ୍କ ଘରକୁ ଯିବା ଆସିବା କରନ୍ତି । ଦିନେ ତାଙ୍କ ସ୍ୱାମୀ ଘରେ ନଥିବା ଜାଣି ଇନ୍ଦ୍ର ନିଜର ଜଣେ ବନ୍ଧୁଙ୍କ ସହ ଆସି ଘରେ ପହଞ୍ଚିଥିଲେ । ଏହା ପରେ ପୀଡ଼ିତା ତାଙ୍କୁ ଜୁସ୍ ପିଇବା ପାଇଁ ଦେଇଥିବା ବେଳେ ଇନ୍ଦ୍ର ତାଙ୍କ ଜୁସ୍ରେ ନିଶା ମିଶାଇ ପୀଡ଼ିତାଙ୍କୁ ପିଇବା ପାଇଁ ଦେଇଥିଲେ । ପୀଡ଼ିତା ଜୁସ୍ ପିଇ ବେହୋସ ହେବା ପରେ ଇନ୍ଦ୍ର ତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ ବନ୍ଧୁ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ହୋସକୁ ଆସିବା ପରେ ସବୁ ଘଟଣା ଜାଣି ମଧ୍ୟ ପୀଡ଼ିତା ଭିଡିଓ ଭାଇରାଲ ହେବା ଡ଼ରରେ ଚୁପ୍ ରହିଥିଲେ । ଯାହାର ଫାଇଦା ଉଠାଇ ଇନ୍ଦ୍ର ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା । କିଛି ଦିନ ଚୁପ୍ ରହିବା ପରେ ପୀଡ଼ିତା ନିଜ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇଥିଲେ । ଯାହା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଚୁପ୍ କରିବା ପାଇଁ ତାଙ୍କୁ ଭିଡିଓ ଛାଡ଼ିବା ସହ ତାଙ୍କର କିଛି ସଂପର୍କୀୟଙ୍କୁ ମଧ୍ୟ ଭିଡିଓ ପଠାଇଥିଲେ । ଏତେ ସବୁ ପରେ ପୀଡ଼ିତାଙ୍କ ସ୍ୱାମୀ ଚୁପ୍ ନ ରହି ମହିଳା ଥାନାରେ ଯାଇ ଅଭିଯୋଗ କରିଥିଲେ । ଯାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।