ଗୁଳି ଚଳାଇ ଦୁର୍ବୃତ୍ତଙ୍କ କବଳରୁ ସ୍ୱାମୀଙ୍କୁ ରକ୍ଷା କଲେ ପତ୍ନୀ

ଲକ୍ଷ୍ନୌ: ରବିବାର କାକୋରି ଥାନା ଅଞ୍ଚଳରେ ଦଳେ ଦୁର୍ବୃତ୍ତ ଅବିଦ ଅଲି ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ସାମ୍ନାରେ ଅତି ନିର୍ଦ୍ଦୟଭାବେ ମାଡ଼ ଦେଇଛନ୍ତି। ତାଙ୍କୁ ଘରୁ ଟାଣି ଆଣି ଟାଙ୍ଗିଆ, ହାତୁଡ଼ି ଓ ଠେଙ୍ଗାରେ ଆକ୍ରମଣ କରାଯାଇଛି।

ବେକ, ହାତ ଓ ମୁଣ୍ଡରେ ପୀଡ଼ିତ ସାଙ୍ଘାତିକ ଆଘାତ ପାଇଛନ୍ତି। ଏହି ଘଟନାଟି ସିସିଟିଭିରେ ରେକର୍ଡ ହୋଇଛି।

ପୀଡ଼ିତଙ୍କୁ ଦୁର୍ବୃତ୍ତ କବଳରୁ ରକ୍ଷା କରିବାକୁ ପୁଲିସ ଆସି ନ ଥିଲା। ଆସିଥିଲେ ତାଙ୍କ ଆଡ୍‌ଭୋକେଟ୍‌ ପତ୍ନୀ। ସ୍ୱାମୀଙ୍କୁ ରକ୍ଷା କରିବାକୁ ସେ ନିଜ ଲାଇସେନ୍‌ସ୍‌ ପ୍ରାପ୍ତ ରିଭଲ୍‌ଭର୍‌ରୁ ଗୁଳି ଚଳାଇଥିଲେ।

ଗୁଳି ଫୁଟିବାରୁ ସେଠାରୁ ଖସି ଯିବା ଛଡ଼ା ଦୁର୍ବୃତ୍ତମାନଙ୍କର ଅନ୍ୟ ଉପାୟ ନ ଥିଲା। କିନ୍ତୁ, ଯିବା ପୂର୍ବରୁ ପରଣତି ଭୟାବହ ହେବ ବୋଲି ସେ ଦମ୍ପତିଙ୍କୁ ଚେତାବନୀ ଦେଇ ଯାଇଛନ୍ତି। ତାଙ୍କୁ କାଟି ଟିକି ଟିକି କରି ଦିଆଯିବ ବୋଲି ଧମକାଇଛନ୍ତି।

ସୂଚନା ପାଇ ପ୍ରଥମେ ପୁଲିସ ଘଟଣାଟିକୁ ଘରମାଲିକ ଓ ଭଡ଼ାଟିଆଙ୍କ ବିବାଦ କହି ଚପାଇ ଦେବାକୁ ଉଦ୍ୟମ କରିଥିଲା। କିନ୍ତୁ, ମାମଲା ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ନିକଟରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଏଫ୍‌ଆଇଆର୍‌ ଦରଜ କରିଥିଲା।

ସମ୍ବନ୍ଧିତ ଖବର