ବରେଲି: ଚରିତ୍ରକୁ ସନ୍ଦେହ କରି ଜଣେ ୪୦ ବର୍ଷିୟ ବ୍ୟକ୍ତି ଶନିବାର ସନ୍ଧ୍ୟା ବେଳେ ବରେଲି ଅନ୍ତର୍ଗତ ପଶ୍ଚିମ ଫତେଗଞ୍ଜସ୍ଥିତ ଜନଗହଳି ଭାରା ବଜାରରେ ସ୍ତ୍ରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।
ସୂଚନାଯୋଗ୍ୟ, ଜେଲ୍ରେ ଥିବା ଉକ୍ତ ସ୍ବାମୀଙ୍କୁ ୩୨ ବର୍ଷୀୟ ସ୍ତ୍ରୀ ପ୍ରାୟ ୧୫ ଦିନ ତଳେ ଜାମିନ୍ରେ ମୁକୁଳାଇ ଆଣିଥିଲେ।
ଅଭିଯୁକ୍ତ ସ୍ବାମୀ କୃଷ୍ଣପାଲ୍ ଲୋଧି ତାଙ୍କ ସ୍ତ୍ରୀ ପୂଜାଙ୍କୁ ଗୁଳି ମାରି ହତ୍ୟା କରିବା ସହିତ ସ୍ତ୍ରୀଙ୍କର ୩୦ ବର୍ଷିୟ ବନ୍ଧୁ ମୁନ୍ନାଙ୍କୁ ମଧ୍ୟ ଗୁଳି ମାରିଥିଲେ। ଆହତ ମୁନ୍ନା ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ପଚରା ଉଚରା ସମୟରେ କୃଷ୍ଣପାଲ୍ କହିଛନ୍ତି ଯେ, ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସେ ଗୁଳି ମାରିଛନ୍ତି। ତା’ର ମୃତ୍ୟୁ ଆବଶ୍ୟକ ଥିଲା। ତେଣୁ, ମୁଁ ତାକୁ ହତ୍ୟା କଲି। ସେଥିପାଇଁ ମୋର ଅନୁଶୋଚନା ନାହିଁ।
ପୁଲିସ ଆହୁରି ମଧ୍ୟ କହିଛି ଯେ, ୨୦୧୨ରେ କୃଷ୍ଣପାଲ୍ ଓ ପୂଜା ଘରୁ ପଳାଇଯାଇ ବିବାହ କରିଥିଲେ। କାରଣ, ସେମାନଙ୍କ ପରିବାର ସେମାନଙ୍କ ବିବାହକୁ ବିରୋଧ କରୁଥିଲେ। ପରିବାର ଚଳାଇବାକୁ ପୂଜା ‘ବିୟୁଟି ପାର୍ଲର୍’ଟିଏ ଖୋଲିଥିଲେ।
ଗୋଟାଏ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ ହୋଇ କୃଷ୍ଣପାଲ୍ ଜେଲ୍ରେ ଥିଲେ। ପୂଜା ଜାମିନ ବ୍ୟବସ୍ଥା କରି ତାଙ୍କୁ ଜେଲ୍ରୁ ମୁକୁଳାଇ ଥିଲେ। ଏ ଘଟଣା ପରେ ପରେ କୃଷ୍ଣପାଲ୍ଙ୍କୁ ଗିରଫ କରାଯିବା ସହିତ ଗୁଳିକାଣ୍ଡରେ ବ୍ୟବହୃତ ଦେଶୀ ପସ୍ତଲ୍ଟିକୁ ବି ଜବତ କରାଯାଇଛି ବୋଲି ବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାହୁଲ୍ ଭାଟି କହିଛନ୍ତି।
ପୂଜାଙ୍କ ମାଆ ଶୀଳା ଦେବୀ କହନ୍ତି, କୃଷ୍ଣପାଲ୍ ମଦୁଆ ହୋଇଯାଇଥିଲେ ଏବଂ ପ୍ରତି ରାତିରେ ମୋ ଝିଅକୁ ମାର୍ଧର୍ କରୁଥିଲେ। ଶନିବାର ଦିନ କୃଷ୍ଣପାଲ୍ ମଦପିଇ ଘରକୁ ଫେରିବା ପରେ ନାବାଳକ ପୁଅମାନଙ୍କ ଆଗରେ ପୂଜାକୁ ଗାଳିଗୁଲଜ କଲେ। ପୂଜା ପ୍ରତିବାଦ କରିବାରୁ ସେ ରାଗିଯାଇ ଦେଶୀ ପିସ୍ତଲ ବାହାର କଲେ। ଛାନିଆରେ ପୂଜା ଘରୁ ଦୌଡ଼ି ପଳାଇଲା। କୃଷ୍ଣପାଲ୍ ମଧ୍ୟ ଧାଇଁ ଯାଇ ତାକୁ ଗୁଳି ମାରି ହତ୍ୟା କଲେ।