‘ପତ୍ନୀ ଓ ପୁଅ ମୋର ହାତ ଗୋଡକୁ ଲୁହା ଶିକୁଳିରେ ବାନ୍ଧି ବନ୍ଦୀ କରି ରଖିଥିଲେ’ ପଡୋଶୀ ଉଦ୍ଧାର କଲେ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପତ୍ନୀ ଓ ପୁଅ ନିଜର ପିତାକୁ ସମ୍ପତ୍ତି ଲୋଭରେ ଲୁହା ଶିକୁଳିରେ ହାତ ଗୋଡ ବାନ୍ଧି ବନ୍ଦୀ କରି ରଖିଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପାଖ ପଡୋଶୀଙ୍କୁ ସନ୍ଦେହ ହେବା ପରେ ସେମାନେ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିକୁଳି ଭିତରୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲା।

ଏହି ମାମଲାଟି ଆଗ୍ରାର ହରିପର୍ବତ ଥାନା ଅଞ୍ଚଳର। ପୀଡିତ ରାଜେଶ କୁମାର ପତ୍ନୀ ଓ ଏକମାତ୍ର ପୁଅ ସହିତ ବସବାସ କରନ୍ତି। ରାଜେଶ ଶିକୁଳିରୁ ମୁକ୍ତ ହେବା ପରେ କହନ୍ତି, ମୋର ପତ୍ନୀ ଓ ପୁଅ ସମ୍ପତ୍ତି ଲୋଭରେ ମୋତେ ଲୁହା ଶିକୁଳି ବାନ୍ଧି ବନ୍ଦୀ କରି ରଖିଥିଲେ। କୌଣସି ପ୍ରକାରେ ମୁଁ ବନ୍ଦୀ ଥିବା ନେଇ ପାଖପଡୋଶୀଙ୍କୁ ସନ୍ଦେହ ହୋଇଥିଲା। ଏହା ପରେ ସେମାନେ ପୁଲିସରେ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜେଶକୁ ଶିକୁଳିରୁ ମୁକ୍ତ କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା। ପୁଲିସ ପତ୍ନୀ ଓ ପୁଅ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର