ଖଣ୍ଡଗିରି: ଗତ ୧୦ ତାରିଖରେ ବରମୁଣ୍ଡା ଜଗନ୍ନାଥବିହାରରେ ଘଟିଥିବା ଜଣେ ମହିଳାଙ୍କ ଆତ୍ମହତ୍ୟା ମାମଲାରେ ଖଣ୍ଡଗିରି ଥାନା ପୁଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଯାଜପୁର କୁଆଖିଆ ବ୍ରାହ୍ମଣବଡ଼ ଗାଁର ଭାଗ୍ୟଧର ପରିଡ଼ା(୨୮)। ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭାଗ୍ୟଧର ଓ ତାଙ୍କ ସ୍ତ୍ରୀ ରୁନୁ ଗତ ୮ ମାସ ତଳେ ଭଲ ପାଇ ବିବାହ କରିଥିଲେ। ଗତ ମାସକ ପୂର୍ବରୁ ସେମାନେ ବରମୁଣ୍ଡା ଜଗନ୍ନାଥବିହାରରେ ଘର ଭଡ଼ା ନେଇ ରହୁଥିଲେ। ଗତ ୧୦ ତାରିଖ ଦିନ ଭାଗ୍ୟଧର ଟିଟିଲାଗଡ଼ ଯାଇଥିବା ବେଳେ ପଡ଼ୋଶୀମାନେ ରୁନୁଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରୁନୁଙ୍କ ପରିବାରଲୋକେ ଭୁବନେଶ୍ବରରେ ପହଞ୍ଚିଥିଲେ ଓ ଭାଗ୍ୟଧର ରୁନୁଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ବରମୁଣ୍ଡା ଜଗନ୍ନାଥବିହାରରେ, ସ୍ତ୍ରୀଙ୍କ ଆତ୍ମହତ୍ୟା ପାଇଁ ସ୍ବାମୀ ଗିରଫ
/sambad/media/post_attachments/wp-content/uploads/2019/09/arrest-aajtak-3.jpg)