ସ୍ତ୍ରୀର ଆତ୍ମହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ୱାମୀର ନିର୍ଯାତନାରେ ଅତିଷ୍ଠ ହୋଇ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ମମତା ପ୍ରଧାନ। ଘର ମଞ୍ଚେଶ୍ୱର ଓସ୍ତପଡ଼ା ଅଞ୍ଚଳରେ। ଏନେଇ ମମତାଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛିି। ଅଭିଯୁକ୍ତ ସ୍ୱାମୀ ଅଭୟ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ, ୮ ବର୍ଷ ତଳେ ମଞ୍ଚେଶ୍ୱର ଓସ୍ତପଡ଼ା ଅଞ୍ଚଳର ଅଭୟ ପ୍ରଧାନ କଟକ ସଦର ଅଞ୍ଚଳର ମମତା ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଅଭୟ ମଦ ପିଇ ନିଶାସକ୍ତ ଅବସ୍ଥାରେ ମମତାଙ୍କୁ ବିନା କାରଣରେ ମାରପିଟ୍‌ କରୁଥିଲେ। ଏନେଇ ମମତାଙ୍କ ପରିବାର ଲୋକ ଅଭୟଙ୍କୁ ବୁଝାସୁଝା କରିଥିଲେ। କିଛିଦିନ ଭଲରେ ଚଳିବା ପରେ ପୁଣି ଅଭୟ ପୂର୍ବଭଳି ମଦ ପିଇ ମମତାଙ୍କୁ ମାର୍‌ପିଟ୍‌ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଏହି ଘଟଣାକୁ ନେଇ ମମତା ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ବିଳମ୍ବିତ ରାତିରେ ପଙ୍ଖାରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମଞ୍ଚେଶ୍ୱର ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର