ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ନ ପାରିବାରୁ ପତ୍ନୀଙ୍କୁ କରୋନା ସଂକ୍ରମିତ କହି ସ୍ୱାମୀ ଘରୁ ବାହାର କରିଦେଲେ

ପାଟନା: କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ପାରିବାରିକ କଳହର ଅନେକ ମାମଲା ସାମ୍ନାକୁ ଆସୁଛି। ପଟନାର ରାଜା ବଜାରରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ରାନ୍ଧିବାକୁ ନେଇ କଳହ ସୃଷ୍ଟି ହୋଇଥିଲା। ଫଳରେ ସେ ତାଙ୍କ ପତ୍ନୀ ଓ ଶିଶୁକୁ କରୋନା ସଂକ୍ରମିତ ଥିବା କହି ଘରୁ ଲକ୍‌ଡାଉନ୍‌ ସମୟରେ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ ଶର୍ମା ବୋଲି ଜଣାପଡ଼ିଛି।

ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ପୀଡ଼ିତା ମହିଳା ଛଟି ଦେବୀ ଅଭିଯୋଗ କରି କହିଥିଲେ, ସେ ତାଙ୍କର ସ୍ୱାମୀ, ସନ୍ତାନ ଓ ଶାଶୁ-ଶ୍ୱଶୁର ସହିତ ଚାଣକ୍ୟପୁରୀରେ ଭଡ଼ା ଘରେ ରହନ୍ତି। ତାଙ୍କର ବାପ ଘର ଅରବଲର ଜିନପୁରା ଗ୍ରାମରେ। ଏବେ କରୋନା ସଂକ୍ରମଣ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସରକାର ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ନ ପାରିବାରୁ ତାଙ୍କର ସ୍ୱାମୀ ତାଙ୍କୁ ଓ ତାଙ୍କ ସନ୍ତାନକୁ କରୋନା ସଂକ୍ରମିତ ଥିବା କହି ଘରୁ ବାହାର କରି ଦେଇଛନ୍ତି।

ତେବେ ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ପ୍ରକାଶ ଶର୍ମା ମିଛରେ ତାଙ୍କ ପତ୍ନୀ କରୋନା ସଂକ୍ରମିତ ଥିବା କହିଥିଲେ ବୋଲି ଜଣାପଡ଼ିଛି। ପୁଲିସ ଛଟି ଦେବୀ ଓ ତାଙ୍କ ସ୍ୱାମୀଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଛନ୍ତି। ଏଥିସହିତ ପ୍ରକାଶ ପୁର୍ନବାର ଯଦି ଏମିତି କରନ୍ତି ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୁଲିସ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର