ନୂଆଦିଲ୍ଲୀ: ଜେଲରେ ବନ୍ଦ ଥିବା ଠକ ସୁକେଶ ଚନ୍ଦ୍ରଶେଖରର ଚିଠି ସାରା ଦେଶରେ ଚହଳ ପକାଇଥିଲା। ସେ ପୂର୍ବରୁ ଲେଖିଥିବା ଚିଠିରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ଆଉ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ଅସଲ ମୁଖା ଖୋଲିଦେବେ ବୋଲି ଲେଖିଛନ୍ତି।
ଏମସିଡି ନିର୍ବାଚନ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଠକ ସୁକେଶ ଲେଖିଛି ଯେ, “ଏହା କେବଳ ଆପଣଙ୍କ ରାଜନୈତିକ କ୍ୟାରିୟର ସମାପ୍ତିର ଆରମ୍ଭ।
ଆପଣଙ୍କୁ ଲୋକେ କ୍ଷମତାଚ୍ୟୁତ କରିବେ, କାରଣ ଆପଣଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଯିବ। ବିଜେପି ଚିଠି ଲେଖିବା ପାଇଁ ମୋତେ ବାଧ୍ୟ କରୁଛି ବୋଲି ଲେଖି ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ପଠାଇବାକୁ କହିଥିଲେ ଅରବିନ୍ଦ କେଜ୍ରିୱାଲ। ହେଲେ ମୋ ଉପରେ ଚିଠି ଲେଖିବାକୁ କେହି ଚାପ ପକାଉନାହାନ୍ତି।
ମୁଁ ଯାହା ସତ, ତାହା ହିଁ ଚିଠିରେ ଲେଖୁଛି। ମୁଁ ସତ ଲେଖୁଥିବାରୁ ସତ୍ୟେନ୍ଦ୍ର ଜୈନଙ୍କ ଅଞ୍ଚଳରେ ଆପ୍ ଭଲ ପ୍ରଦର୍ଶନ କରିପାରିନଥିଲା। ଏମସିଡି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନଙ୍କ ଗଡ଼ରେ ଆପ୍ ସମସ୍ତ ୱାର୍ଡରେ ହାରିବା ସହ ମନୀଷ ସିସୋଦିଆଙ୍କ ଗଡ଼ରେ ୪ଟି ୱାର୍ଡ ମଧ୍ୟରୁ ୩ଟି ହାରିଲା। ଆହୁରି ଅନେକ ଖୁଲାସା କରିବାର ଅଛି। ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଅନେକ କଥା ରହିଛି, ଯାହା ସାମ୍ନାକୁ ଆସିବା ଜରୁରୀ।