ରାଜଧାନୀରେ ବଢୁଛି ନିଶା କାରବାର: ବ୍ୟାପକ ଦେଶୀ-ବିଦେଶୀ ମଦ ସହ ୧ ଲକ୍ଷ ୯୦ ହଜାର ଟଙ୍କା ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ବଢ଼ିବାରେ ଲାଗିଛି। ନିଶା କାରବାର ସହିତ ଜଡ଼ିତ ଲୋକେ କମ ପରିଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସ୍ୱପ୍ନ ଦେଖୁଛନ୍ତି। କିଛି ଦିନ ତଳେ ଭୁବନେଶ୍ୱରରୁ ବ୍ୟାପକ ଗଂଜେଇ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଥିବା ବେଳେ ଆଜିର ଦିନରେ ବ୍ରାଉନ ସୁଗାର ବ୍ୟବସାୟ ଏକ ମାମୁଲି ଘଟଣା ହୋଇଛି। ଆଜି ପୁଣି ଏୟାରଫିଲ୍ଡ ଥାନା ପୁଲିସ ସୁନ୍ଦରପଦା ଅନ୍ତର୍ଗତ ତ୍ରିଲୋଚନ ବିହାରରୁ ୧୫୧ ଲିଟର ୫୨୦ ମିଲିଲିଟର ଦେଶୀ-ବିଦେଶୀ ମଦ ସହ ୧ ଲକ୍ଷ ୯୦ ହଜାର ୭୭୦ ଟଙ୍କା ଜବତ କରିଛି। ପୁଲିସ ମଦ କାରବାର ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ କାବୁ ଓରଫ ଦିଲୀପ ନାୟକ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦିଲୀପ ନାୟକଙ୍କ ତ୍ରିଲୋଚନ ବିହାରସ୍ଥିତ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସକୁ ୯୦ ଲିଟର ୩୨୦ ମିଲିଲିଟର ବିଦେଶୀ ମଦ ଓ ୬୧ ଲିଟର ୨୦୦ ମିଲିଲିଟର ଆସ୍କା ୪୦ ମିଳିଥିଲା। ଏଥି ସହିତ ପୁଲିସ ବିକ୍ରି ହୋଇଥିବା ଆଦାୟ ହୋଇଥିବା ୧ ଲକ୍ଷ ୯୦ ହଜାର ୭୭୦ ଟଙ୍କା ଜବତ କରିଛି।

ତେବେ ପୁଲିସ କହିଛି ଯେ, ଦିଲୀପ ବିନା ଲାଇସେନ୍ସରେ ମଦ ବ୍ୟବସାୟ ଚଳାଇଥିଲା। ପୁଲିସ ଏ ସଂକ୍ରାନ୍ତରେ ଦିଲୀପ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର