ଚଞ୍ଚକତା: ଡିମ୍ବାଣୁ ଦାନ ପାଇଁ ଯାଇଥିବା ମହିଳା ହେଲେ ସରୋଗେସି ମଦର

ବିଶାଖାପାଟଣା: ଜଣେ ୩୨ ବର୍ଷୀୟ ମହିଳାଙ୍କୁ ପ୍ରଲୋଭିତ କରି ଡାକ୍ତରଖାନାକୁ ନେବା ପରେ ଡାମ୍ବାଣୁ ସଂଗ୍ରହ ବଦଳରେ କୃତିମ ପ୍ରଜନନ ପ୍ରକିୟା  ବଳରେ ତାଙ୍କୁ ସରୋଗାସି ମଦର କରାଯାଇଥିବା ନେଇ ବିଶାଖାପାଟଣାର ପଦ୍ମଶ୍ରୀ ହସ୍‌ପିଟାଲ ବିରୋଧରେ ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍‌ପିଟାଲ ସମ୍ମୁଖରେ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟମାନେ ହୋ ହଲ୍ଲା କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସରୋଗେସି ଦଲାଲ କେ ଉଷା ସ୍ୱତନ୍ତ୍ରନଗରରେ ରହୁଥିବା ଏନ ନାଗଲକ୍ଷ୍ମୀ ନାମକ ଜଣେ ୩ଟି ସନ୍ତାନର ଜନନୀଙ୍କୁ ପ୍ରଲୋଭିତ କରି ତାଙ୍କ ଠାରୁ ଡିମ୍ବାଣୁ ସଂଗ୍ରହ ପାଇଁ ରାଜି କରିନେଇଥିଲେ।ଏହି ଡିମ୍ବାଣୁ ଡୋନେସନ ପାଇଁ ତାଙ୍କୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ଉଷା ନାଗଲକ୍ଷ୍ମୀଙ୍କୁ କହିଥିଲେ। ଆଉ ଏହି ପ୍ରକିୟା ଶେଷ ପାଇଁ ତାଙ୍କୁ ୩୦ ଦିନ ପାଇଁ ଡାକ୍ତରଖାନାରେ ରହିବାକୁ ପଡ଼ିବ ବୋଲି କୁହାଯାଇଥିଲା।ଏଥିପାଇଁଉଷା ନାଗଲକ୍ଷ୍ମୀଙ୍କୁ ଗତ ମାର୍ଚ୍ଚ ମାସରେ ପଦ୍ମଶ୍ରୀ ହସ୍‌ପିଟାଳକୁ ନେଇଥିଲେ। ଉଷା ହସ୍‌ପିଟାଲ ରେଜିଷ୍ଟରରେ ନାଗଲକ୍ଷ୍ମୀଙ୍କ କେୟାର ଟେକର ବୋଲି ନିଜକୁ ପରିଚୟ ଦେଇ ଦସ୍ତଖତ କରିଥିଲେ। ସେଠାରେ ବିଭିନ୍ନ କାଗଜପତ୍ରରେ ନାଗଲକ୍ଷ୍ମୀଙ୍କ ଠାରୁ ଦସ୍ତକରି ନିଆଯାଇଥିଲା। ସେଠାରେ ତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଔଷଧ ଖାଇବାକୁ ଦିଆଯାଇଥିଲା। ପରେ ତାଙ୍କୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ଥିଲା ଓ ସେଠାରେ ତାଙ୍କ ଗର୍ଭାଶୟରୁ ଡିମ୍ବାଣୁ ସଂଗ୍ରହ କରାଯାଉଛି ବୋଲି ନାଗଲକ୍ଷ୍ମୀଙ୍କୁ କୁହାଯାଇଥିଲା। ମାତ୍ର ପରେ ତାଙ୍କୁ ଡାକ୍ତର କୁହିଥିଲେ ଯେ ନାଗଲକ୍ଷ୍ମୀ ଠାରେ କୃତିମ ପ୍ରଜନନ ବ୍ୟବସ୍ଥା କରାଯାଇଛି। ଅର୍ଥାତ ଡିମ୍ବାଣୁ ସଂଗ୍ରହ କରାଯିବା ବଦଳରେ ତାଙ୍କ ଗର୍ଭାଶୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଶୁକ୍ରାଣୁ ଦ୍ୱାରା ଭୃଣ ସୃଷ୍ଟି କରାଯାଇଛି। ଏପରିକି ସମ୍ପୃକ୍ତ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ଶିଶୁ ଜନ୍ମ ପରେ ୩ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ିଦେଇ ତାଙ୍କୁ ୫ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଦେଇଛନ୍ତି। ତାଙ୍କୁ ଠକି ଦିଆଯାଇଥିିବା ନେଇ ସେ ଉଷାଙ୍କୁ ଯୋଗାଯୋଗ କରିବାରୁ ଉଷା ତାଙ୍କ କଥା ଶୁଣି ନ ଥିଲେ।

ତେବେ ଏହି କୃତିମ ପ୍ରଜନନ ପ୍ରକ୍ରିୟାରେ ନାଗଲକ୍ଷ୍ମୀ ଦୁର୍ବଳ ହୋଇ ପଡ଼ିବାରୁ ଲୁଚି ହସ୍‌ପିଟାଲରୁ ପଳାଇ ଆସି ସବୁ କଥା ସ୍ୱାମୀଙ୍କୁ କହିଥିଲେ। ତାଙ୍କ ସ୍ୱାମୀ ଅନ୍ୟ ଏକ ଡାକ୍ତରଖାନାରେ ନେଇ ନାଗଲକ୍ଷ୍ମୀଙ୍କୁ ଦେଖାଇବା ପରେ ଘଟଣା ସତ୍ୟ ବୋଲି ଜଣାପଡ଼ିଥିଲା। ନାଗଲକ୍ଷ୍ମୀଙ୍କ ସ୍ୱାମୀ ଆଦିନାରାୟଣ କହିଛନ୍ତି ଯେ ତାଙ୍କ ପତ୍ନୀ ପୂର୍ବରୁ ପରିବାର ନିୟୋଜନ ଅସ୍ତ୍ରୋରପଚାର କରିଥିଲେ। ମାତ୍ର ଚଞ୍ଚକତା କରି ପଦ୍ମଶ୍ରୀ ହସ୍‌ପିଟାଲର ଡାକ୍ତର ପୁଣି ଥରେ ଯେପରି ସେ ମାଆ ହୋଇପାରିବେ ସେଥିପାଇଁ ପୂର୍ବରୁ ହୋଇଥିବା ପରିବାର ନିାୟୋଜନ ଅସ୍ତ୍ରୋପଚାରକୁ ନଷ୍ଟ କରି ଦେଇଥିଲେ। ତେବେ ଏ ସମ୍ପର୍କରେ ପଦ୍ମଶ୍ରୀ ହସ୍‌ପିଟାଲର ଡା. ସୁଧା ପଦ୍ମଶ୍ରୀ କହିଛନ୍ତି ଯେ ମହିଳା ଜଣକ ସରୋଗେସି ମଦର ହେବା ପାଇଁ ସମ୍ମତି ଦେଇଥିବା ସମସ୍ତ କାଗଜପତ୍ର ତାଙ୍କ ପାଖରେ ଅଛି। ମୁଁ କୌଣସି ବେଆଇନ କାର୍ଯ୍ୟ କରି ନାହିଁ। ଗତ ମାର୍ଚ୍ଚ ୨୨ ତାରିଖ ରେ ମହିଳାଙ୍କ ଗର୍ଭାଶୟରେ ଗର୍ଭ ଉଦୟ କରାଯାଇଥିଲା ଓ ଏହା ସଫଳ ହୋଇଥିଲା। ତାଙ୍କ ଗର୍ଭାଶୟରେ ଦୁଇଟି ଜମଜ ସନ୍ତାନ ଥିବା ଜଣାପଡ଼ିବା ପରେ ମହିଳାଜଣକ ଅଧିକ ଟଙ୍କା ଦାବି କରୁଥିବା ଡା. ସୁଧା ପଦ୍ମଶ୍ରୀ କହିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର