ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ଏବଂ ନିକ୍କି ଯାଦବଙ୍କ ହତ୍ୟା ଘଟଣା ପରେ ଆସାମରେ ସେଭଳି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଆସାମରେ ଜଣେ ମହିଳା ନିଜ ସ୍ବାମୀ ଓ ଶାଶୁଙ୍କୁ ହତ୍ୟା କରିବା ସହ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ଲୁଚାଇ ରଖିଥିବା ପୁଲିସ କହିଛି। ଘଟଣାର ଅନୁସନ୍ଧାନ କରୁଥିବା ପୁଲିସର ସୂଚନାନୁସାରେ, ଏହି ସମଗ୍ର ଘଟଣା ଆସାମର ନୁନମାଟି ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ମହିଳାଙ୍କ ନାଁ ବନ୍ଦନା କଲିତା ବୋଲି ଜଣାପଡ଼ିଛି। ସତ ସାମ୍ନାକୁ ଆସିବା ପରେ ଏବେ ଅଭିଯୁକ୍ତ ବନ୍ଦନାଙ୍କୁ ଗିରଫ କରିଛି ପୁଲିସ।
ବନ୍ଦନାଙ୍କୁ ପଚରାଉଚରା କରିବା ପରେ ପୁଲିସ ଜାଣିବାକୁ ପାଇଛି ଯେ ବିବାହ ପରେ ପରେ ବନ୍ଦନା ଅନ୍ୟଜଣକ ସହ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଏହି କାରଣରୁ, ବନ୍ଦନା ସ୍ୱାମୀ ଅମରଜ୍ୟୋତି ଦେ ଏବଂ ଶାଶୁ ଶାଙ୍କାରୀ ଦେଙ୍କୁ ହତ୍ୟା କରିଛନ୍ତି। ଉଭୟଙ୍କୁ ହତ୍ୟା କରିବାର ତିନି ଦିନ ପରେ ବନ୍ଦନା ତାଙ୍କ ପ୍ରେମିକଙ୍କ ସାହାଯ୍ୟରେ ମୃତଦେହକୁ କାଟି ଶରୀରର କିଛି ଖଣ୍ଡ ମେଘାଳୟର ଚେରାପୁଞ୍ଜୀରେ ଫିଙ୍ଗିଥିଲେ। ଗିରଫ ହେବାରୁ ବନ୍ଦନା ଆସାମ ପୁଲିସ ଦଳକୁ ଚେରାପୁଞ୍ଜୀର ସେହି ସ୍ଥାନକୁ ନେଇଥିଲେ, ଯେଉଁଠାରେ ସେ ସ୍ବାମୀ ଓ ଶାଶୁଙ୍କ ମାଂସ ଖଣ୍ଡ ଫିଙ୍ଗିଥିଲେ। ପୁଲିସର ପଚରାଉଚରା ବେଳେ ବନ୍ଦନା ଏହା ମଧ୍ୟ କହିଛନ୍ତି ଯେ ସେ ଓ ତାଙ୍କ ପ୍ରେମିକ ମୃତଦେହର କିଛି ଖଣ୍ଡ ଫ୍ରିଜରେ ଲୁଚାଇ ରଖିଥିଲେ।