୨୪ବର୍ଷ ପରେ ଫେସ୍‌ବୁକ୍‌ ଜରିଆରେ ଦେଖା ହେଲେ ଦୁଇ ବାନ୍ଧବୀ, ଚାକିରି ଦେବା ବାହାନାରେ ଅଢ଼େଇ ଲକ୍ଷ ଟଙ୍କା ଠକିନେଲେ ମହିଳା

ନୋଏଡା : ଉତ୍ତରପ୍ରଦେଶର ନୋଏଡାରେ ହୋଇଥିବା ଏକ ଠକେଇ ମାମଲା ଏବେ ସାମ୍ନାକୁ ଆସିଛି । ସ୍କୁଲରେ ପଢ଼ୁଥିବା ଦୁଇ ସାଙ୍ଗ ୨୪ବର୍ଷ ପରେ ଫେସ୍‌ବୁକ୍‌ରେ ଦେଖା ହେବା ଏବଂ ପରେ ଚାକିରି ଦେବା ବାହାନାରେ ଅଢ଼େଇ ଲକ୍ଷ ଟଙ୍କା ଠକି ନେବା ଘଟଣାକୁ ଏବେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମହିଳାକୁ ଗିରଫ କରି ପାରି ନାହିଁ ପୁଲିସ । ଏହା ସହ ଅଭିଯୁକ୍ତ ମହିଳାଜଣଙ୍କ ନିଜ ସାଙ୍ଗକୁ ଫୋନ ଏବଂ ହ୍ଵାଟସଆପରେ ବ୍ଲକ୍‌ କରି ଦେଇଥିବା ଜଣା ପଡ଼ିଛି ।

NDTV.com

ମିଳିଥିବା ସୂଚନା ମୁତାବକ, ପୀଡ଼ିତା ଏବଂ ଅଭିଯୁକ୍ତ ସ୍ୱାତୀ ନର୍ସରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସାଥୀରେ ପଢ଼ିଥିଲେ । କିନ୍ତୁ ୧୯୯୫ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ୨୪ବର୍ଷ ପରେ ଜାନୁଆରୀ ୨୦୧୯ରେ ଦୁହେଁ ପୁଣି ଥରେ ଫେସ୍‌ବୁକ୍‌ ମାଧ୍ୟମରେ ସଂପର୍କରେ ଆସିବା ସହ ଫୋନରେ କଥା ହେବା ଆରମ୍ଭ କରିଥିଲେ । ସ୍ୱାତୀ ପୀଡ଼ିତାଙ୍କୁ ଦୁବାଇରେ ରହୁଥିବା କଥା କହି ସେଠାରେ ଏକ କମ୍ପାନୀ ଖୋଲିଥିବା କଥା କହିଥିଲେ । ଏହା ପରେ ପୀଡ଼ିତା ଦୁବାଇରେ ଚାକିରି କରିବାକୁ ଚାହୁଁଥିବା କଥା କହିଥିଲେ । ଏହା ଶୁଣି ସ୍ୱାତୀ ଚାକିରି ଦେବା କଥା କହିବା ସହ କାଗଜପତ୍ର କାମ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ । ଛୋଟ ବେଳର ସାଙ୍ଗକୁ ଭରସା କରି ପୀଡ଼ିତା ସ୍ୱାତୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥିଲେ । କିନ୍ତୁ ପ୍ରଥମ ଦୁଇ ମାସ ଚାକିରି ହେବ ବୋଲି ଆଶ୍ୱାସନା ଦେବା ସହ ପରେ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ ସ୍ୱାତୀ । କିଛି ଦିନ ଅପେକ୍ଷା କରି ଅନ୍ୟ କୌଣସି ବାଟ ନ ପାଇ ପୀଡ଼ିତା ଶେଷରେ ଏବେ ନୋଏଡା ଥାନାରେ ଅଭିଯୋଗ ଲେଖାଇଛନ୍ତି ।

ସମ୍ବନ୍ଧିତ ଖବର