ପୁଅ-ଝିଅକୁ ହତ୍ୟା ଉଦ୍ୟମ କରି ସ୍ତ୍ରୀ ଆତ୍ମହତ୍ୟା କରିଥିବା କଥା ପୁଲିସକୁ କହିଥିଲା ସ୍ୱାମୀ, ମାସକ ପରେ କୋମାରୁ ବାହାରି ଶାଶୁଘର ଲୋକଙ୍କ ରାଜ୍ ଖୋଲିଲା ବୋହୂ
ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ପ୍ରାୟ ମାସେ ପର୍ଯ୍ୟନ୍ତ କୋମାରେ ରହିବା ପରେ ଏବେ ସୁସ୍ଥ ହୋଇଛନ୍ତି । ନିଜର ଏବଂ ନିଜ ପୁଅ-ଝିଅଙ୍କ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ସ୍ୱାମୀ ମାସେ ପୂର୍ବରୁ ପୁଲିସକୁ ଜଣାଇଥିବା ବେଳେ ଏବେ କୋମାରୁ ବାହାରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମହିଳା । ନଭେମ୍ବର ୧୭ରୁ ସେ କୋମାରେ ଥିବା ବେଳେ ରବିବାର ସୁସ୍ଥ ହୋଇଥିଲେ । ଯାହା ପରେ ସେ ନିଜ ସ୍ୱାମୀ, ଦିଅର ଏବଂ ଶାଶୁ-ଶଶୁରଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ମାମଲାର ସମାଧାନ ହୋଇ ଯାଇଥିବା ଭାବି ପୁଲିସ ଶାନ୍ତିରେ ବସିଥିବା ବେଳେ ଏବେ ପୀଡ଼ିତାଙ୍କ ବୟାନ ମାମଲାକୁ ନୂଆ ମୋଡ଼ ଦେଇଛି । ସୁସ୍ଥ ହେବା ପରେ ପୀଡ଼ିତା ପୁଲିସ ଆଗରେ ନିଜ ବୟାନ ରଖିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ନଭେମ୍ବର ୧୬ ରାତି ୧୨ଟାରେ ମୋ ସ୍ୱାମୀ ଘରକୁ ଆସି ଝଗଡ଼ା ଆରମ୍ଭ କରି ଦେଇଥିଲେ । ଭୋର ୪ଟା ପର୍ଯ୍ୟନ୍ତ ସେ ମୋ ସହ ଝଗଡ଼ା କରିବା ସହ ମୋତେ ମାଡ଼ ମାରିଥିଲେ । ପରେ ମୁଁ ମୋ ପୁଅ-ଝିଅକୁ ନେଇ ଅନ୍ୟ ରୁମ୍କୁ ଶୋଇବାକୁ ଚାଲି ଯାଇଥିଲି । ସକାଳ ୭ଟା ସମୟରେ ମୋ ନିଦ ଭାଙ୍ଗିବା ବେଳକୁ ମୋ ସ୍ୱାମୀ ଏବଂ ଦିଅର ମୋ ପୁଅ ଝିଅଙ୍କ ଗଳା କାଟୁଥିବା ଦେଖିଥିଲି । ବିରୋଧ କରିବାରୁ ସେ ପ୍ରଥମେ ମୋ ଆଙ୍ଗଠି କାଟିବା ସହ ମୋ ଗଳା ମଧ୍ୟ କାଟି ଦେଇଥିଲେ । ଏ ସବୁ ଜିନିଷ ଶାଶୁ-ଶଶୁରଙ୍କ ଆଗରେ ହେଉଥିଲେ ମଧ୍ୟ ସେମାନେ କିଛି କହି ନ ଥିଲେ ।
ଏହି ଘଟଣା ପରେ ପୀଡ଼ିତାଙ୍କ ୩ ବର୍ଷୀୟ ଝିଅ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ପୀଡ଼ିତା ଏବଂ ତାଙ୍କ ପୁଅ ନୂଆ ଜୀବନ ପାଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏ ନେଇ ଶାଶୁଘର ଲୋକଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ କରିଥିବା ବେଳେ ଏବେ ପୀଡ଼ିତାଙ୍କ ବୟାନ ମାମଲାକୁ ଆହୁରି ଗମ୍ଭୀର କରିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ କଡ଼ା ତଦନ୍ତ ଆରମ୍ଭ କରିଛି ।