ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ରାସ୍ତାକଡ଼ରେ ରହୁଥିବା ମା’ ଓ ଝିଅକୁ ଡିସେମ୍ବର ୨୯ ଓ ୩୦ ରାତିରେ ଦୁଇଜଣ ମଦ୍ୟପ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ମା’ ଝିଅଙ୍କୁ ଦୁଷ୍କର୍ମକାରୀ କବଳରୁ ଉଦ୍ଧାର କରିବା ବଦଳରେ ମାନବିକତା ମରିଗଲା ଭଳି ଘଟଣାର ଦୃଶ୍ୟକୁ ନିଜ ଫୋନରେ କୈଦ କରିଥିଲେ। କେବଳ ଏତିକି ନୁହେଁ, ଏହି ଲଜ୍ଜାଜନକ ଘଟଣାର ଭଡିଓକୁ ଉକ୍ତ ପ୍ରତ୍ୟକ୍ଷଦର୍ଶୀ ସୋସିଆଲ ମିଡିଆରେ ପୋଷ୍ଟ ବି କରି ଦେଇଥିଲେ। ଏହି ଭିଡିଓରେ ଦୁଷ୍କର୍ମକାରୀ ମା’ ଓ ଝିଅକୁ ପଥରରେ ଛେଚି ହତ୍ୟା କରିବା ପାଇଁ ଧମକ ଦେଉଥିବା ବି ଦେଖିବାକୁ ମିଳିଛି।
ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ରବିବାର ଦିନ ଜାହାଙ୍ଗୀରପୁରୀରୁ ଦୁଇ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ଏହି ଭିଡିଓ ପୋଷ୍ଟ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ବସଷ୍ଟାଣ୍ଡ, ମେଟ୍ରୋ ଷ୍ଟେସନ ଏବଂ ଆଶ୍ରୟ ଗୃହରେ ପଚରାଉଚରା ପରେ ପୀଡିତା ମା’ ଓ ଝିଅଙ୍କ ସନ୍ଧାନ ପାଇଥିଲେ। ପୀଡିତା ମହିଳାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅଙ୍କ ବୟସ ୧୮ବର୍ଷ ଆଉ ସେ ଜଣେ ଦିବ୍ୟାଙ୍ଗ। କରୋନା ସମୟରେ ମହିଳାଙ୍କ ସ୍ୱାମୀ ଗାଁକୁ ଚାଲି ଯାଇଥିବାବେଳେ ମହିଳା ଏବଂ ତାଙ୍କ ଝିଅ ଏଠାରେ ରହୁଥିଲେ।