ନୂଆଦିଲ୍ଲୀ: ବିଶ୍ବରେ ସବୁଠାରୁ ଅଧିକ ଫାଶୀ ଦିଆଯିବା ଦେଶ ମଧ୍ୟରେ ଚୀନ ପରେ ଇରାନ ଦ୍ବିତୀୟ ସ୍ଥାନରେ ରହିଛି। ସଂପ୍ରତି ଇରାନରେ ଜଣେ ମହିଳାଙ୍କୁ ଫାଶୀ ଦଣ୍ଡ ହେବାର ଥିଲା। କିନ୍ତୁ ଫାଶୀ ହେବାର କିଛି ସମୟ ପୂର୍ବରୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ବି ମହିଳାଙ୍କ ମୃତଦେହକୁ ଫାଶୀରେ ଟଙ୍ଗା ଯିବାର ଏକ ଘଟଣା ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଜହରା ଇସମାଇଲ୍ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ଅଲିରେଜା ଜମାନିଙ୍କୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଇରାନର ଏକ ଅଦାଲତରେ ମାମଲାର ବିଚାର କରାଯାଇ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା।
ଜହରା ଇସମାଇଲଙ୍କ ଓକିଲ ଓମିତ ମୁରାଦିଙ୍କ କହିବାନୁସାରେ, ମହିଳାଙ୍କ ସ୍ବାମୀଙ୍କ ମା’ଙ୍କୁ ଖୁସି କରିବା ପାଇଁ ଜହରା ଇସମାଇଲଙ୍କ ମୃତଦେହକୁ ଫାଶୀରେ ଟଙ୍ଗା ଯାଇଥିଲା। ତେବେ ମହିଳାଙ୍କ ସ୍ବାମୀ ସର୍ବଦା ଦୁର୍ବ୍ୟବହାର କରିଥାଆନ୍ତି। ତେଣୁ ସେ ନିଜେ ଶାନ୍ତିରେ ରହିବା ସହିତ ପୁଅକୁ ଶାନ୍ତିରେ ରଖିବା ପାଇଁ ସ୍ବାମୀଙ୍କୁ ହତ୍ୟା କରି ଦେଇଥିଲେ। ଜହରାଙ୍କ ସ୍ବାମୀ ଇରାନର ଗୁଇନ୍ଦା ମନ୍ତ୍ରାଳୟରେ କାମ କରୁଥିଲେ।
ଫାଶୀ ପାଇବା ପାଇଁ ଜହରା ଧାଡ଼ିରେ ଛିଡ଼ା ହୋଇଥିଲେ। ତାଙ୍କ ସାମ୍ନାରେ ୧୬ଜଣ ପୁରୁଷ ବି ଛିଡ଼ା ହୋଇଥିଲେ। ନିଜ ଆଖି ସାମ୍ନାରେ ଏତେ ଜଣଙ୍କୁ ଫାଶୀ ପାଉଥିବା ଦେଖିବା ପାଇଁ ଜହରାଙ୍କୁ ବାଧ୍ୟ କରାଯାଇଥିଲା। ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ୧୬ଜଣଙ୍କ ଫାଶୀ ହେଉଥିବା ଦେଖି ଜହରାଙ୍କ ହୃତଘାତ ହୋଇଥିଲା। ଆଉ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।