ମାଆଙ୍କ ଅପେକ୍ଷା ପତ୍ନୀଙ୍କୁ ବେଶୀ ଭଲପାଇବାରୁ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ସ୍ତ୍ରୀ, କହିଲେ ଯିଏ ମାଆର ନୁହେଁ ସେ କାହାର ନୁହେଁ

‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ’। ଅର୍ଥାତ ଜନନୀ ଏବଂ ଜନ୍ମଭୂମି ସ୍ୱର୍ଗଠାରୁ ବି ଊର୍ଧ୍ୱରେ। ଯାହା ମନରେ ନିଜ ଜନ୍ମଭୂମି ପ୍ରତି ଶ୍ରଦ୍ଧା ନାହିଁ ସିଏ ପୃଥିବୀର କୌଣସି ସ୍ଥାନରେ ନିଜକୁ ଖାପ ଖୁଆଇ ଚଳିପାରେନା। ଯେଉଁ ସନ୍ତାନ ନିଜ ମାଆର ନୁହଁନ୍ତି ସେ ଦୁନିଆରେ କାହାର ନୁହଁନ୍ତି। ଏପରି ଏକ କଥା ଆମେ ହୁଏତ ଅଧିକାଂଶ ସମୟରେ କେଉଁ ପୁସ୍ତକରୁ ପଢ଼ିଥାଉ ଅବା ଭାଷଣରୁ ଶୁଣିବାକୁ ପାଇଥାଉ। ମାତ୍ର ଏପରି ଏକ କଥାକୁ କେନ୍ଦ୍ର କରି ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ଭଳି ନିଷ୍ପତ୍ତି ଟିକେ ଆଶ୍ଚର୍ଯ୍ୟଜନକ ନୁହେଁ କି?

ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ। ଆଜିକାଲି ସ୍ୱାମୀଙ୍କ ନିକଟରୁ ଅଧିକ ପ୍ରେମ ପାଇବା ପାଇଁ ଅଧିକାଂଶ ସ୍ତ୍ରୀ ବ୍ୟାକୁଳ ହେଉଥିବା ବେଳେ ସାଉଦି ଆରବର ଜଣେ ମହିଳା ନିଜର ଚିନ୍ତାଧାରା ପାଇଁ ଚର୍ଚ୍ଚା ପାଲଟିଛନ୍ତି। ମହିଳାଙ୍କ ସ୍ୱାମୀ ନିଜ ମାଆ ଅପେକ୍ଷା ପତ୍ନୀଙ୍କୁ ଟିକେ ଅଧିକ ପ୍ରେମ ଓ ଗୁରୁତ୍ୱ ଦେବାରୁ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ସେ ଏହି ନ୍ୟାୟରେ ଛାଡ଼ପତ୍ର ଦେଇଛନ୍ତି ଯେ ଯେଉଁ ବ୍ୟକ୍ତି ନିଜ ମାଆଠାରୁ ବେଶୀ ପତ୍ନୀଙ୍କୁ ଭଲପାଇ ପାରନ୍ତି ସେ ସମୟ ଆସିଲେ ପତ୍ନୀଙ୍କଠାରୁ ବେଶୀ ଆଉ କାହାକୁ ବି ଭଲ ପାଇପାରନ୍ତି। ଏଭଳି ଏକ ବ୍ୟକ୍ତି ସହ ଜୀବନ କାଟିବା ସୁରକ୍ଷାଜନକ ନୁହେଁ ବୋଲି ମହିଳା ଜଣକ ମତ ଦେଇଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ଶେଷ ପର୍ଯ୍ୟନ୍ତ ଜାଣି ପାରିନଥିଲେ ତାଙ୍କ ପତ୍ନୀ ତାଙ୍କୁ କାହିଁକି ଛାଡ଼ପତ୍ର ଦେବାକୁ ଚାହାନ୍ତି। କୋର୍ଟରେ ମାମଲା ଚାଲିଥିଏ। ମହିଳାଙ୍କୁ ଛାଡ଼ପତ୍ରର ଅବେଦନର କାରଣ ପଚରାଗଲା। ମହିଳା ଜଣକ କହିଲେ, ‘ମୋ ସ୍ୱାମୀ ମୋତେ ଖୁବ୍‌ ଭଲପାଆନ୍ତି। ଏପରିକି ମୋ ପାଇଁ ସେ ତାଙ୍କ ପରିବାର ଲୋକଙ୍କୁ ବି ତ୍ୟାଗ କରିବାକୁ ପଛାଇଲେ ନାହିଁ। ଯେଉଁ ମାଆ ତାଙ୍କୁ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଛନ୍ତି, ୨୯ ବର୍ଷ ପର୍ଯ୍ୟନ୍ତ ଲାଳନପାଳନ କରିଛନ୍ତି ସେ ତାଙ୍କୁ ବି ଛାଡ଼ବାକୁ ପଛାଇଲେ ନାହିଁ। ସେ ଜଣେ ସ୍ୱାମୀ ଭାବରେ ଖୁବ୍‌ ଭଲ। ମୋତେ ବିଦେଶକୁ ବୁଲାଇ ନିଅନ୍ତି। ମହଙ୍ଗା ଉପହାର କିଣି ଦିଅନ୍ତି। ହେଲେ ଜଣେ ଭଲ ପୁତ୍ର ହୋଇପାରିନାହାନ୍ତି। ଯିଏ ପରିବାରର ନୁହଁନ୍ତି, ନିଜ ମାଆର ନୁହଁନ୍ତି ସେ ସ୍ତ୍ରୀର ବା କେତେ ଦିନ ହୋଇ ରହିପାରିବେ। ଏମିତି ବି ସମୟ ଆସିପାରେ ଆଉ କାହାର ମୋହରେ ଆସି ସେ ମୋତେ ତ୍ୟାଗ କରିପାରନ୍ତି। ଏପରି ବ୍ୟକ୍ତିଙ୍କ ସହ ଜୀବନ ବିତାଇବାକୁ ମୁଁ ସୁରକ୍ଷିତ ମଣୁନାହିଁ।’ ମହିଳାଙ୍କ କଥା ଶୁଣି ବିଚାରପତି ମହିଳାଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର