କାର୍‌ ଭିତରୁ ଗୁପ୍ତ ଭାବେ ନବଜାତ ଶିଶୁକୁ ଫୋପାଡ଼ି ଚାଲି ଯାଉଥିଲେ ମହିଳା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଲକ୍ଷ୍ନୌ: ଜନ୍ମଦାତ୍ରୀ କେବେ ବି ଈଶ୍ୱରୀଠାରୁ କମ୍‌ ନୁହଁନ୍ତି। ଈଶ୍ୱରଙ୍କ ଆରାଧାନା କରିବା ଯାହା ହୋଇଥାଏ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କ ଯତ୍ନ ନେବା ତା’ଠାରୁ ବଳି ହୋଇଥାଏ ବୋଲି ଆମ ସଂସ୍କୃତି ଆମକୁ ଶିକ୍ଷା ଦେଇ ଆସିଛି। ବେଳେ ବେଳେ ଏହି ବିଶ୍ୱାସ ଉପରୁ ବିଶ୍ୱାସ ହଟିଯାଏ। କ୍ଷୀଣ ଅନୁଭୂତ ହେବାକୁ ଲାଗେ ମାଆର ମମତା। ସେହି ଭଳି ଏକ କରୁଣ ଦୃଶ୍ୟର ସିସିଟିଭି ଫୁଟେଜ ନିକଟରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ଏକ ଶୂନଶାନ ରାସ୍ତାର ଏହି ଭିଡିଓଟି ଅନେକଙ୍କ ଆଖି ଲୁହାର କାରଣ ସାଜିପାରେ। ଘଟଣାଟି ହେଉଛି ୟୁପିର ମୁଜାଫର୍‌ନଗର ଜିଲ୍ଲାର। ଦେଖିବାକୁ ମିଳୁଛି ଏକ କାର୍‌ଟି ସ୍ଥାନୀୟ ଏକ ସରୁ ଗଳିରେ ଯାଉଛି। ସେଠାରେ ଏକ ଦୁଇଅ ନିକଟରେ କାର୍‌ଟିର ଗତିଟିକେ କମ୍‌ ହେଉଛି। କାର୍‌ ମଧ୍ୟରୁ ଜଣେ ବୁର୍ଖା ପରିଧାନ କରିଥିବା ମହିଳା ଜଣେ ନବଜାତ ଶିଶୁ କନ୍ୟାକୁ ହାତ ଗଳାଇ ବାହାରେ ଥୋଇ ଦେଇ ଚାଲି ଯାଉଛନ୍ତି। ଏହି ଘଟଣା ଘଟିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ। ମାତ୍ର ଘଟଣାଟି ସିସଟିଭିରେ ସ୍ପଷ୍ଟ ଭାବେ କଏଦ ହୋଇଛି।

ମୁଜାଫର୍‌ନଗରର ସିଏମ୍‌ଓ କହିଛନ୍ତି କି ଏହି ନବଜାତକକୁ ଏବେ ଚିକିତ୍ସା କରାଯାଉଛି। ଶିଶୁଟିର ଅବସ୍ଥା ଗୁରୁତର ରହିଛି। ଆବଶ୍ୟ କାର୍‌ ମଧ୍ୟରୁ ଶିଶୁଟିକୁ ବାହାରେ ଫିଙ୍ଗି ଦେଇ ଯାଇଥିବା ମହିଳା ଜଣକ କିଏ ବୋଲି ସ୍ପଷ୍ଟ ନ ହୋଇଥିଲେ ବି ସେ ଶିଶୁଟିର ମାଆ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର