ମୁମ୍ବାଇ: ବିବାହ ପରେ ସ୍ବାମୀ ରଖୁଥିଲା ଅନୈତିକ ସମ୍ପର୍କ । ସ୍ତ୍ରୀ ବିରୋଧ କରିବାରୁ ମୁହଁରେ ଏସିଡ୍ ପକାଇଲା ସ୍ବାମୀ । ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି ଏଭଳି ଘଟଣା । ପୀଡ଼ିତା ଝଗଡ଼ା ହେବା ପରେ ଆସି ମଲାଡରେ ଥିବା ନିଜ ମା’ଙ୍କ ଘରେ ରହୁଥିବା ବେଳେ ସେଠାରେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି।

Advertisment

ମିଳିଥିବା ସୂଚନା ମୁତାବକ, ପରସ୍ପରକୁ ଭଲପାଇବା ପରେ ୨୦୧୯ରେ ୨୭ବର୍ଷୀୟା ପୀଡିତା ୩୦ବର୍ଷୀୟ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ସବୁ କିଛି ଠିକ ଚାଲିଥିଲା। ହେଲେ କିଛି ବର୍ଷ ପରେ ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ପୀଡ଼ିତା। ଏନେଇ ବିରୋଧ କରିବା ପ‌ରେ ବି ସ୍ବାମୀ ନସୁଧୁରିବାରୁ ପୀଡ଼ିତା ସ୍ବାମୀକୁ ଛାଡ଼ି ମଲାଡ ଚାଲିଆସିଥିଲେ। ସେଠାରେ ସେ ନିଜ ମା’ଙ୍କ ସହ ରହିବା ଆରମ୍ଭ କରିଥିଲେ। ଅଭିଯୁକ୍ତ ସ୍ବାମୀ ପତ୍ନୀକୁ ଫେରାଇ ନେବାକୁ ଆସିଥିବ‌ା ବେଳେ ପୀଡ଼ିତା ଯିବାକୁ ରାଜି ହେଲେ ନାହିଁ। ଏଥିରେ ରାଗିଯାଇ ସ୍ବାମୀ ପୀଡ଼ିତାଙ୍କ ଉପରେ ଏସିଡ୍ ପକାଇଥିବା ଜଣାଯାଇଛି। ଏସିଡ ମାଡ଼ ପରେ ପୀଡ଼ିତାଙ୍କ ହାତ ଓ ମୁହଁ ବେଶୀ କ୍ଷତିଗ୍ରସ୍ତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ, ଏସିଡ୍ ମାଡ଼ କରି ଫେରାର ଥିବା ସ୍ବାମୀକୁ ଖୋଜିବା ଆରମ୍ଭ କରିଛି ପୁଲିସ।