ହରିୟାଣା: ଥମିବାର ନାଁ ନେଉନାହିଁ ଗଣଦୁଷ୍କର୍ମ; ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ

ଫରିଦାବାଦ (ହରିୟାଣା): ହରିୟାଣାରେ ଥମିବାର ନାଁ ନେଉନାହିଁ ଗଣଦୁଷ୍କର୍ମ ଅଘଟଣ। ପୁଣି, ଗତକାଲି (ମଙ୍ଗଳବାର) ଫରିଦାବାଦର ବଲ୍ଲଭଗଡ଼ ଅଞ୍ଚଳରେ ଜନୈକା ମହିଳାଙ୍କୁ ଚାରି ଜଣ ଗଣଦୁଷ୍କର୍ମ କରିବା ଘଟଣା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଫରିଦାଦାବାଦର ବଲ୍ଲଭଗଡ଼ ଅଞ୍ଚଳ ଦେଇ ମଙ୍ଗଳବାର ଦିନ ରାତିରେ ଜଣେ ମହିଳା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଚାରି ଜଣ ବ୍ୟକ୍ତି ତାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ଟେକିନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ତେବେ, ମହିଳାଙ୍କ ସହ ଥିବା ପୁରୁଷ ବନ୍ଧୁ ଏହି ଘଟଣାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ, ମହିଳା ଓ ତାଙ୍କ ପୁରୁଷ ବନ୍ଧୁ କୌଣସି ମତେ ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସି ନିକଟସ୍ଥ ପୁଲିସ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ସଦଳବଳେ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ, ସେତେବେଳକୁ ଦୁଷ୍କର୍ମକାରୀମାନେ ଘଟଣାସ୍ଥଳ ଛାଡ଼ି ଫେରାର ହୋଇ ଯାଇଥିଲେ। ତଥାପି, ପୁଲିସ୍‌ ଘଟଣାସ୍ଥଳରେ ତଦନ୍ତ ଚଳାଇ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିବାରେ ସମର୍ଥ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଥିବାବେଳେ ଏହି ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ମୁଖ୍ୟ ଚାରି ଅଭିଯୁକ୍ତଙ୍କୁ ପୁଲିସ୍‌ ଏଯାବତ୍‌ ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ୧୨ ତାରିଖରେ ରେଓ୍ଵାରିରେ ଜନୈକା ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ୯ ଜଣ ଗଣଦୁଷ୍କର୍ମ କରିବା ଘଟଣାକୁ ନେଇ ଦେଶବ୍ୟାପି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର