ଭୂକମ୍ପରେ ପରିବାର ହରାଇଥିବା ଯୁବତୀଙ୍କୁ ପରିତ୍ୟକ୍ତ ଘର ଭିତରେ ଗଣ ଦୁଷ୍କର୍ମ

ବେଙ୍ଗାଲୁର: ଭୂକମ୍ପରେ ପରିବାର ସଦସ୍ୟଙ୍କୁ ୧୪ ବର୍ଷ ତଳେ ହରାଇ ଜୀବନ ବଞ୍ଚାଇବାକୁ ବେଙ୍ଗାଲୁର ଚାଲିଆସିଥିବା ୨୬ ବର୍ଷୀୟା ଜଣେ ଯୁବତୀଙ୍କୁ ୬ଜଣ ଅଜଣା ଯୁବକ ସାରା ରାତି ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ଯୁବତୀଙ୍କୁ ଏକ ବଲ ପରି ଏହି ୬ ଜଣ ଖେଳିବା ସହିତ ନିସ୍ତୁକ ମାଡ଼ ମାରି ତାଙ୍କ ହାତଗୋଡ଼ ମଧ୍ୟ ଭାଙ୍ଗି ଦେଇଛନ୍ତି। ପରେ ଦୁଇ ଦିନ ସେହିପରି ଉଲଗ୍ନ ଅବସ୍ଥାରେ ପଡ଼ି ରହିବା ପରେ ଜଣେ ସାମାଜିକ କର୍ମକର୍ତ୍ତାଙ୍କ ନଜରରେ ପଡ଼ିବା ପରେ ତାଙ୍କ ସହଯୋଗରେ ଏକ ଏନଜିଓ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଶାରୀରିକ ଯନ୍ତ୍ରଣା ସହିତ ମାନସିକ ଯନ୍ତ୍ରଣା ଭୋଗୁଥିବା ଏହି ଦୁଷ୍କର୍ମ ପୀଡ଼ିତା ଯୁବତୀଙ୍କୁ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି। ଏ ନେଇ ବେଙ୍ଗାଲୁରର ଏକ ଥାନାରେ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ ଯେ ଯୁବତୀ ଜଣକ ଏକ ହୋଟେଲରେ ଦୈନିକ ୫୦ ଟଙ୍କା ଦରମାରେ ବାସନ ମାଜିବା କାର୍ଯ୍ୟ କରିବା ସହିତ ଅନେକଲ ନିକଟରେ ଏକ ଝୁମ୍ପୁଡ଼ି ଘରେ ରୁହନ୍ତି। ଗତ ନଭେମ୍ବର ୨୩ ତାରିଖ ରାତିରେ ୬ ଜଣ ଯୁବକ ତାଙ୍କୁ ତାଙ୍କ ଝୁମ୍ପୁଡ଼ି ଘରୁ ଉଠାଇ ନେଇ ଏକ ପରିତ୍ୟକ୍ତ ଘର ମଧ୍ୟରେ ସାରା ରାତି ଗଣ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଯନ୍ତ୍ରଣାରେ ଉଠି ପାରୁ ନ ଥିବା ବେଳେ ଏହି ଅସାମାଜିକ ଦୁର୍ବୃତ୍ତମାନେ ସେହି ଘର ଭିତରେ ତାଙ୍କ ମୁଣ୍ଡକୁ କାନ୍ଥରେ ବାଡେଇ ଅସହ୍ୟ ନିର୍ଯାତନା ଦେଉଥିଲେ। ଯେତେବେଳେ ସିନ୍ଦୁରା ଫାଟିବାକୁ ଯାଉଥିଲା, ସେତିକି ବେଳେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ସେତେବେଳେ ତାଙ୍କ ଶରୀରରେ ଖଣ୍ଡେ ବି କପଡ଼ା ନ ଥିଲା । ସେହିପରି ଉଲଗ୍ନ ଅବସ୍ଥାରେ ସେ ଘଟଣାସ୍ଥଳ ଠାରୁ ପ୍ରାୟ ୨୫୦ ମିଟର ଦୂରରେ ଥିବା ବସଷ୍ଟାପାଖକୁ ଆସି ମୁହଁମାଡ଼ି ବସିଥିଲେ। କେହି ତାଙ୍କୁ ତାଙ୍କ ସମ୍ପର୍କରେ ପଚାରି ନ ଥିଲେ। ପରେ ସେ ନିକଟରେ ଅଳିଆ ଗଦାରେ ପଡ଼ିଥିବା କିଛି ଛିଣ୍ଡା କପଡ଼ା ସଂଗ୍ରହ କରି ତାକୁ ପିନ୍ଧିି ପକାଇ ସାରା ରାତି ସେହିପରି ବସଷ୍ଟାଣ୍ଡରେ ବସି ରହିଥିଲେ। ତେବେ ୨୪ ତାରିଖ ସକାଳେ ଅଫିିସ ଯାଉଥିବା ସ୍ତ୍ରୀ ଜାଗୃତି ସମିତିର ସଦସ୍ୟା ପାରିଜାତ ଜିଟି ଯୁବତୀଙ୍କୁ ଦେଖି କିଛି ଅଘଟଣ ଘଟିଛି ବୋଲି ସନ୍ଦେହ କରି ସେଠାରେ ଅଟକି ଯାଇଥିଲେ ।ପରେ ସେ ତାଙ୍କୁ ଖାଇବାକୁ ଦେଇ ଘଟଣା ସମ୍ପର୍କରେ ପଚାରିବାରୁ ଯୁବତୀ ଜଣକ ସମସ୍ତ କଥା କହିଥିଲେ। ମାତ୍ର ଯୁବତୀଙ୍କ ଅବସ୍ଥା ଗୁରତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଡକାଇ ଦୁଷ୍କର୍ମ ପୀଡ଼ିତାଙ୍କ ପାଇର୍ଁ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବୋଅରିଙ୍ଗ ହସ୍‌ପିଟାଲକୁ ପଠାଇଥିଲେ। ସେଠାରେ ପୀଡ଼ିତାଙ୍କର ଅସ୍ତ୍ରୋପଚାର ସହିତ ଚିକିତ୍ସା ଆରମ୍ଭ ହୋଇଛି।
ପାରିଜାତ ଜି ଟି କହିଛନ୍ତି ଯେ ପୀଡ଼ିତାଙ୍କ ଚିିକିତ୍ସା ପାଇଁ ସେମାନେ ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଛନ୍ତି। ଏପରିକି ସରକାରଙ୍କ ନିର୍ଭୟା ଫଣ୍ଡରୁ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପୀଡ଼ିତା ସୁସ୍ଥ ହେବା ପରେ ତାଙ୍କ ରହିବା ଓ ଚାକିରି ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯିବ ବୋଲି ନର୍ଥ ଇଷ୍ଟ ସଲିଡାରିଟି ନାମକ ଏକ ବେସରକାରୀ ସଂସ୍ଥାର ସଭାପତି ରିନୀ ରାଲତେ କହିଛନ୍ତି।

ସମ୍ବନ୍ଧିତ ଖବର