ମେରଠ : ଉତ୍ତରପ୍ରଦେଶର ମେରଠରେ ଜଣେ ଦୁଷ୍କର୍ମ ପୀଡ଼ିତା ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଧମକକୁ ନ ଡ଼ରି ପୀଡ଼ିତା ପୁଲିସ ପାଖରେ ନିଜ ଦୁଷ୍କର୍ମ ସମୟର ଭିଡିଓ ଧରି ପହଞ୍ଚିଥିଲେ । ଭିଡିଓ ଦେଖି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ଏଭଳି କାମ ଏବେ ଅନେକଙ୍କୁ ଲଢ଼ିବାର ବାର୍ତ୍ତା ଦେଇଛି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।
ପୀଡ଼ିତା ଦେଇଥିବା ବୟାନ ମୁତାବକ, ଫେବୃଆରି ୧୭ ତାରିଖରେ ତାଙ୍କ ସହ ୩ଜଣ ଯୁବକ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ପୁଲିସରେ ଅଭିଯୋଗ କଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇ ଅଭିଯୁକ୍ତମାନେ ସେଠାରୁ ଚାଲି ଆସିବା ପରେ ପୀଡ଼ିତା ପୁଲିସ ଷ୍ଟେସନରେ ଯାଇ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିଲା । ପୀଡ଼ିତା ପୁଲିସ ଷ୍ଟେସନ ଯାଇଥିବା ଜାଣି ଅଭିଯୁକ୍ତମାନେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା ।
ନିଜ ଭିଡିଓକୁ ଭାଇରାଲ ହେଉଥିବା ଦେଖି ପୀଡ଼ିତା ଚୁପ୍ ବସିବା ପରିବର୍ତ୍ତେ ନିଜ ଭିଡିଓକୁ ନେଇ ମେରଠର ଏସ୍ଏସ୍ପିଙ୍କ ପାଖରେ ପହଞ୍ଚିଥିଲେ । ସବୁ ଘଟଣା ଜାଣିବା ପରେ ଏସ୍ଏସ୍ପି ଏବେ ପୁଲିସକର୍ମୀମାନଙ୍କୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ଆଦେଶ ଦେଇଥିବା ଜଣାପଡ଼ିଛି ।