ଚେନ୍ନାଇ: ସୋମବାର ରାତିରେ ଟ୍ରିପ୍ଲିକେନ୍ସ୍ଥିତ ବଡ଼ ମସ୍ଜିଦ୍ ସାମ୍ନାରେ ଥିବା କାର୍ଯ୍ୟାଳୟରେ ଜଣେ ବୁର୍ଖା ପରିହିତା ମହିଳା ଜଣେ ଇମାମ୍ଙ୍କ ଦେହରେ ନିଅାଁ ଲଗାଇ ଦେଇଛନ୍ତି। ପୁଲିସ ଆତତାୟୀକୁ ଏ ପର୍ଯ୍ୟନ୍ତ ଧରିପାରି ନାହିଁ।
ମଙ୍ଗଳବାର ଦିନ ପୁଲିସ କହିବାନୁସାରେ, ରାତି ପ୍ରାୟ ୮ଟା ବେଳେ ବଡ଼ ମସ୍ଜିଦ୍ରେ ଇମାମ୍ ଥିବା ୬୦ ବର୍ଷିୟ ସୟେଦ୍ ଫଜ୍ରୁଦ୍ଦିନ୍ଙ୍କ କାର୍ଯ୍ୟାଳୟ ଭିତରକୁ ଅନ୍ୟୂନ ୫ ଜଣ ମହିଳା ଉପାସିକାଙ୍କ ସହ ପ୍ରବେଶ କରିଥିଲେ। ତାଙ୍କ ଉପରକୁ କିଛି ରାସାୟନିକ ପଦାର୍ଥ ଫିଙ୍ଗି ନିଅାଁ ଲଗାଇ ଦେଇଥିଲେ। ଡାକ୍ତରଖାନାକୁ ନିଆଯିବାର ଦୁଇ ଘଣ୍ଟା ପରେ ଇମାମ୍ଙ୍କର ଦେହାନ୍ତ ହୋଇଥିଲା। ଟ୍ରିପ୍ଲିକେନ୍ ପୁଲିସ ଏକ ନରହତ୍ୟା ମାମଲା ରୁଜୁ କରିଛି। ଏ ପର୍ଯ୍ୟନ୍ତ ତଦନ୍ତକାରୀମାନେ ଉକ୍ତ ମହିଳାଙ୍କୁ ଚିହ୍ନଟ କରି ନାହାନ୍ତି କି, ହତ୍ୟାର ଉଦ୍ଦେଶ୍ୟ ଜାଣି ପାରି ନାହାନ୍ତି।
ସେହି କୋଠାରେ ଦୋକାନ ଖୋଲିଥିବା ଇମାମ୍ଙ୍କର ଘନିଷ୍ଠ ବନ୍ଧୁ ୬୧ ବର୍ଷିୟ ମଣି ଉକ୍ତ ମହିଳାଙ୍କୁ ଗୋଡ଼ାଇ ଧରିଥିଲେ, କିନ୍ତୁ ସେ ତାଙ୍କୁ ଠେଲି ଦେଇ ଦୌଡ଼ି ପଳାଇଥିଲା ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହୁଛନ୍ତି।
ମଣି ହିଁ ଟ୍ରିପ୍ଲିକେନ୍ ପୁଲିସକୁ ଏ ସଂକ୍ରାନ୍ତରେ ଖବର ଦେଇଥିଲା। ପୁଲିସ ପହଞ୍ଚିଲା ବେଳକୁ ଇମାମ୍ଙ୍କ କାର୍ଯ୍ୟାଳୟ ଆଶିଂକ ପୋଡ଼ି ଯାଇଥିଲା।
ଏହା ଏକ ସୁ-ପରିକଳ୍ପିତ ଅପରାଧା। ମହିଳାଜଣକ ଧାଇଁ ପଳାଇ ଯାଇଥିଲେ ବି ତାଙ୍କ ପାଇଁ ଆଖପାଖରେ ଗାଡ଼ିଟିଏ ପ୍ରସ୍ତୁତ ହୋଇ ରହିଥିବ ନିଶ୍ଚୟ। ଇମାମ୍ଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ କହୁଛନ୍ତି, ସେମାନେ ପେଟ୍ରୋଲ୍ କିଂବା କିରାସିନିର ଚିହ୍ନବର୍ଣ୍ଣ ପାଇ ନାହାନ୍ତି। ପରୀକ୍ଷା ପାଇଁ ସେମାନେ ଫୋରେନ୍ସିକ୍ ଲାବ୍ରୋଟରିକୁ ନମୁନା ପଠାଇଛନ୍ତି।