ହଲ୍ଦ୍ୱାନି: ସାପଦ୍ବାରା କାମୁଡ଼ାଇ ଉତ୍ତରାଖଣ୍ଡର ହଲ୍ଦ୍ୱାନିର ଜଣେ ଯୁବତୀ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଇଥିବା କଥା ପୁଲିସ କହିଛି।
ପୁଲିସ କହିଛି, ଅନେକ ଦିନ ତଳୁ ଉକ୍ତ ଯୁବତୀ ଓ ସେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କୌଣସି କାରଣରୁ ସେ ବ୍ୟକ୍ତିଙ୍କ କବଳରୁ ମୁକ୍ତି ପାଇବା ପାଇଁ ଯୁବତୀଜଣକ ଚେଷ୍ଟା କରୁଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଜୁଲାଇ ୧୫ ତାରିଖ ଦିନ ହଲ୍ଦୱାନିର ତିନ୍ ପାନି ଅଞ୍ଚଳରେ ପୁଲିସ ଗୋଟାଏ କାର୍ ଭିତରୁ ଜଣେ ବ୍ୟକ୍ତିଙ୍କ ଶବ ପାଇଥିଲା। ଶବ ଗୋଡ଼ରେ ସାପ କାମୁଡ଼ା ଚିହ୍ନ ଥିଲା।
ଶବଟି ଥିଲା ସ୍ଥାନୀୟ ବ୍ୟବସାୟୀ ଅଙ୍କିତ ଚୌହାନ୍ଙ୍କର। ପରିବାର ଲୋକଙ୍କ ଅଭିଯୋଗ ପରେ ଜୁଲାଇ ୧୭ ତାରିଖ ଦିନ ଶବଟି ଅଙ୍କିତଙ୍କର ବୋଲି ଚିହ୍ନଟ ହୋଇଥିଲା। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କଲା।
ତଦନ୍ତ ବେଳେ ଜଣାପଡ଼ିଲା ଯେ, ଘଟଣାରେ ଜଣେ ସାପୁଆ କେଳା ସମ୍ପୃକ୍ତ ଅଛନ୍ତି। ସେ ହିଁ ଅଙ୍କିତଙ୍କ ଗୋଡ଼ରେ ସାପ କାମୁଡ଼ାଇଛନ୍ତି। ପୁଲିସ ସେ ସାପୁଆ କେଳାକୁ ଗିରଫ କଲା।
ନୈନିତାଲ୍ର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପଙ୍କଜ ଭଟ୍ଟ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସାପୁଆ କେଳାଙ୍କ ସମେତ ୫ଜଣ ସମ୍ପୃକ୍ତ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଡଲି ଓରଫ୍ ମହୀ। ଏକଦା ଡଲିଙ୍କର ମହେଶଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ବର୍ଷ ବର୍ଷ ଧରି ସେ ଅଙ୍କିତଙ୍କୁ ବ୍ଲାକ୍ମେଲ୍ କରି ଅର୍ଥ ମଧ୍ୟ ଆଦାୟ କରୁଥିଲେ। କିନ୍ତୁ, ପରେ ଡଲି ଅଙ୍କିତଙ୍କ ସହ ସମ୍ପର୍କ ତୁଟାଇବାକୁ ଚାହିଁଲେ। ମାତ୍ର ଅଙ୍କିତ ଏଥିରେ ରାଜି ହେଉ ନ ଥିଲେ।
ତେଣୁ, ଜଣେ ସାପୁଆ କେଳାକୁ ଲଗାଇ ଡଲି ଅଙ୍କିତଙ୍କୁ ହତ୍ୟା କରିବାକୁ ଯୋଜନା କରି ସଫଳ ହୋଇଥିଲେ। ସମ୍ପ୍ରତି ଡଲିଙ୍କ ସମେତ ଆଉ ୩ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତଲାସ ଜାରି ରଖିଛି।