କୋଲକାତା: ପଶ୍ଚିମବଙ୍ଗରେ ମହିଳାମାନେ ସୁରକ୍ଷିତ ନଥିବା ନେଇ ପୁଣି ଥରେ ପ୍ରମାଣିତ ହୋଇଛି। ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ନିରନ୍ତର ବିରୋଧ ଜାରି ରହିଛି। ଡାକ୍ତର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖାଯାଇଛି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ଡାକ୍ତରଖାନାରେ କିଛି ମାସ ପୂର୍ବରୁ ଜଣେ ଜୁନିଅର ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
ଏହି ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ରାଜ୍ୟରେ ପୁଣି ଜଣେ ମହିଳା ସାମ୍ବାଦିକଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ମାମଲା ସାମ୍ନାକୁ ଆସିଛି। ମହିଳା ସାମ୍ବାଦିକା ଜଣକ ସାକ୍ଷାତକାର ନେବାକୁ ଯାଇଥିବା ବେଳେ ସିପିଏମ ନେତାଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ମହିଳା ସାମ୍ବାଦିକା ଜଣକ ଫେସବୁକ ଲାଇଭରେ ନିଜ ସହିତ ଘଟିଥିବା ଘଟଣାକୁ ବଖାଣିବା ସହିତ ଅଭିଯୋଗ କରି କହିଛନ୍ତି, ‘ମୁଁ ସିପିଏମ ନେତା ତନ୍ମୟ ଭଟ୍ଟାଚାର୍ଯ୍ୟଙ୍କ ସାକ୍ଷାତକାର ନେବାକୁ ଯାଇଥିଲି। ଏହି ସମୟରେ ନେତା ମୋତେ ସାକ୍ଷାତକାର ଦେବା ବାହାନା କରି କୋଳରେ ଆସି ବସି ଯାଇଥିଲେ।’
କେବଳ ଏତିକି ନୁହେଁ ଏହା ପୂର୍ବରୁ ମୁଁ ଭଟ୍ଟାଚାର୍ଯ୍ୟଙ୍କ ଘରେ ନିର୍ଯାତନାର ଶିକାର ହୋଇଥିଲି। ଭଟ୍ଟାଚାର୍ଯ୍ୟଙ୍କ ମହିଳାଙ୍କୁ ଦେଖିଲେ ସ୍ପର୍ଶ କରିବାର ଅଭ୍ୟାସ ରହିଛି। ପ୍ରଥମେ ସେ ମୋର ହାତକୁ ଧରି ପକାଇଥିଲେ। ମୁଁ ଭୟରେ ବାହାନା କରି ସେଠାରୁ ଚାଲି ଆସିଥିଲି। ଲଜ୍ଜାରେ କାହାକୁ ଏବିଷୟରେ କିଛି ଜଣାଇ ନଥିଲି। କିନ୍ତୁ ଦ୍ବିତୀୟଥର ଭଟ୍ଟାଚାର୍ଯ୍ୟଙ୍କ ସ୍ବଭାବ ସୀମା ବାହାରି ଯାଇଥିଲା।
ମୁଁ ଏହି ଘଟଣାକୁ କେନ୍ଦ୍ର କରି ବାରାନଗର ଥାନାରେ ମାମଲା ରୁଜୁ କରିଛି। ମୋର ଅଭିଯୋଗକୁ କେନ୍ଦ୍ର କରି ସିପିଏମ ତନ୍ମୟ ଭଟ୍ଟାଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି। ସିପିଏମ ଏହି ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ କରିବ ବୋଲି ପ୍ରତିଶ୍ରୁତି ଦେଇଛି।’