ନୂଆଦିଲ୍ଲୀ: ବାପା ଓ ମା’ମାନେ ନିଜର ସନ୍ତାନକୁ ପାଠପଢ଼ାଇ ଭଲ ମଣିଷ କରିବେ ବୋଲି ନିଜର ସର୍ବସ୍ବ ପୁଞ୍ଜି| ଲଗାଇ ଦେଇଥାଆନ୍ତି। ଏହି କ୍ରମରେ ତାମିଲନାଡୁର ସେଲମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ପୁଅର କଲେଜ ଫିସ ଭରିବା ପାଇଁ ମା’ ଜୀବନ ହାରି ଦେଇଛି। ମା’ ଏମିତି ଜୀବନ ହାରିବାର କାରଣ ହେଉଛି, ତାର ଏଭଳି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ କିଛି ଆର୍ଥିକ ସାହାଯ୍ୟ ମିଳିବ। ଏହି ଅର୍ଥ ମିଳିଲେ ତାର ପୁଅ କଲେଜରେ ଫି ଭରି ଆଗକୁ ତାର ପାଠ ପଢ଼ା ଜାରି ରଖି ପାରିବ।
ବସ ସାମ୍ନାକୁ ଡେଇଁ ଜୀବନ ହାରିଥିବା ମା’ର ନାମ ପପାଥି ଓ ବୟସ ୪୫ବର୍ଷ ବୋଲି କୁହାଯାଉଛି। ପପାଥି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ପପାଥି ନିଜ ପିଲାର ଉଜ୍ବଳ ଭିବଷ୍ୟତ ପାଇଁ ତାମିଲନାଡ଼ୁ ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବା ହେତୁ ଜୁନ ୨୮ ତାରିଖରେ ଚଳନ୍ତା ବସ ସାମ୍ନାକୁ ଡେଇଁ ଜୀବନ ହାରି ଦେଇଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ଜୀବନ ହାରିଥିବା ମହିଳା ପପାଥି ୧୫ବର୍ଷ ହେବ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏହାପରେ ମା’ ଓ ପୁଅ ଦୁହେଁ ଏକାଠି ରହୁଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କର୍ମଚାରୀ ଭାବେ କାମ କରି ଯେତିକି ରୋଜଗାର କରନ୍ତି ସେଥିରେ ସେ ପୁଅର ପାଠପଢ଼ା ଖର୍ଚ୍ଚ ସହିତ ସମସ୍ତ କଥା ବୁଝି ଥାଆନ୍ତି।
ନିକଟରେ ପୁଅର କଲେଜ ଫିସ ଆବଶ୍ୟକ ଥିଲା। କିନ୍ତୁ ପପାଥିଙ୍କ ପାଖରେ ଟଙ୍କା ନଥିଲା। ସେ ଏଥିପାଇଁ ଚିନ୍ତାରେ ରହୁଥିଲେ। ଶେଷରେ ସେ ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବା ପାଇଁ ବସ ସାମ୍ନାକୁ ଡେଇଁ ପଡ଼ିଥିଲେ। ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ପୁଲିସ ଯାଞ୍ଚ କରିବା ସମୟରେ ଏହି ଫୁଟେଜ ସାମ୍ନାକୁ ଆସିଛି।