ଡକାୟତି ପରେ ବୃଦ୍ଧାଙ୍କୁ ହତ୍ୟା

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ସାହାବାଜପୁର ଅଞ୍ଚଳରେ ଏକୁଟିଆ ରହୁଥିବା ଜଣେ ବୃଦ୍ଧାଙ୍କ ଘରୁ ଡକାୟତି ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ, ମନୋରମା ପଣ୍ଡା(୬୦)। ବୁଧବାର ବିଳମ୍ବିତ ରାତିରେ ଡକାୟତମାନେ ଏହି ନାରକୀୟ କାଣ୍ଡ ଭିଆଇଥିଲେ ହେଁ ଆଜି ମଧ୍ୟାହ୍ନରେ ଘଟଣା ଲୋକଲୋଚନକୁ ଆସିଛି।

ସୂଚନାନୁଯାୟୀ ସ୍ୱର୍ଗତ ପରୀକ୍ଷିତ ପଣ୍ଡାଙ୍କ ପତ୍ନୀ ମନୋରମା ଘରେ ଏକୁଟିଆ ରୁହନ୍ତି। ମନୋରମାଙ୍କ ୪ ଝିଅ ବିବାହିତ। ମଝିରେ ମଝିରେ ସେ ଝିଅମାନଙ୍କ ଘରେ ରୁହନ୍ତି । ଗତ ୬ ଦିନ ହେଲା ସେ ନଖରାରେ ସାନଝିଅ ଦୀପ୍ତିଲତାଙ୍କ ପାଖରେ ରହୁଥିଲେ। ଦୀପ୍ତିଲତାଙ୍କ କହିବାନୁଯାୟୀ ଗତକାଲି ସଂଧ୍ୟା ସାଢ଼େ ୫ଟାରେ ସେ ମା’ଙ୍କୁ ଘରେ ଛାଡ଼ି ପଳାଇଥିଲେ। ରାତି ୧୦ଟାରେ ଫୋନ୍‌ରେ କଥା ବି ହୋଇଥିଲେ। କିନ୍ତୁ ଆଜି ଦିନ ସାଢ଼େ ଗୋଟାଏ ସମୟରେ ତାଙ୍କ ମୋବାଇଲକୁ ବାରମ୍ବାର କଲ୍‌ କରିଥିଲେ ହେଁ କିଛି ଉତ୍ତର ମିଳି ନଥିଲା। ସନ୍ଦେହ ହେବାରୁ ସେ ଆଜି ଦିନ ସାଢ଼େ ଗୋଟାଏରେ ଆସି ଦେଖିଲା ବେଳକୁ ମା’ ମନୋରମାଙ୍କ ମୃତ୍ୟୁ ହୋଇ ସାରିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଅପରାହ୍ନରେ ବାଲିଅନ୍ତା ଥାନା ଅଧିକାରୀ ମନୋଜ ସ୍ୱାଇଁ, ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଓ ଜୋନ୍‌ – ୪ ଏସିପି ଅମରେନ୍ଦ୍ର ପଣ୍ଡା ପ୍ରମୁଖ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ବାଲିଅନ୍ତା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ସ୍ପଷ୍ଟ ହୋଇଯିବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଅପରପକ୍ଷେ ମନୋରମାଙ୍କ ମୃତ୍ୟୁକୁ ନେଇ ତଦନ୍ତକାରୀ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି। ଗୋଟିଏ ପଟେ ଝିଅ ଦୀପ୍ତିଲତା ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୭୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇ ମା’କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଛାନଭିନ୍‌ ସମୟରେ ପୁଲିସ ଆଲମିରାରୁ ନଗଦ ୪୫ହଜାର ଟଙ୍କା ସହିତ ସୁନାଚେନ୍‌, ୩ ହଳ କାନଫୁଲ ଏବଂ ଦୁଇଟି ନାକ ନୋଥ ପାଇଛି। ତେଣୁ କେଉଁ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ନେବ, ସେ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି।

ଭୁବନେଶ୍ୱର ନୂଆପଲ୍ଲୀ ଓ ମଞ୍ଚେଶ୍ୱର ହତ୍ୟାକାଣ୍ଡର ଏଯାଏ ପର୍ଦାଫାସ ହୋଇ ନ ଥିବାବେଳେ ବାଲିଅନ୍ତା ଥାନା ଅଧୀନରେ ଘଟିଥିବା ଏହି ହତ୍ୟାକାଣ୍ଡ କମିସନରେଟ ପୁଲିସ ଚ୍ୟାଲେଞ୍ଜ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର