ରାଜକୋଟ: ଦେଶରେ ମହିଳାଙ୍କ ବିରୋଧରେ ଅପରାଧର ମାତ୍ରା କ୍ରମଶଃ ବଢ଼ି ଚାଲିଥିବା ବେଳେ ଏକ ନୂତନ ଘଟଣାକ୍ରମରେ ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଜଣେ ମହିଳା କୃଷି ଶ୍ରମିକଙ୍କୁ ଜମିମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ, ଜମି ମାଲିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ମହିଳା ଜଣକ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି।
ସୁରେନ୍ଦ୍ରନଗର ଜିଲ୍ଲାର ୱାଧୱାନ ତାଲୁକାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ୩୦ ଏକର ଜମିର ମାଲିକ ଯୁବରାଜସିଂହ ପରମାର ବୋଲି ଚିହ୍ନଟ କରାଯାଇଛି।
ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତଙ୍କ କୃଷି ଫାର୍ମରେ ସଂପୃକ୍ତା ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ କୃଷି ଶ୍ରମିକ ଭାବେ କାମ କରୁଥିଲେ। ପୂର୍ବରୁ ଜମି ମାଲିକ ପରମାର ଶ୍ରମିକଙ୍କ ୩୦ ବର୍ଷୀୟା ପତ୍ନୀଙ୍କୁ ଯୌନ ଅନୁଗ୍ରହ ମାଗି ଆସିଥିବା ବେଳେ ସେ ତାହାକୁ ପ୍ରତ୍ୟାଖାନ କରି ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ମହିଳା ଶ୍ରମିକଙ୍କୁ ବିଲ ଭିତରେ ଏକୁଟିଆ ପାଇ ଦୁଷ୍କର୍ମ କରିବା ସହ ମାଡ଼ମାରି ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣକ ଲୋକଲଜ୍ଜା ଭୟରେ ବିଲରେ ଆତ୍ମହତ୍ୟା କରିଥିଲେ। ହେଲେ, ବିଲରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଏହି ଘଟଣା ପଦାକୁ ଆସିଥିଲା।
ଏବେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପରମାରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବହୁ ଯୌନ ଶୋଷଣ ମାମଲା ରହିଥିବା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Crime.jpg)